ମହାକାଳପଡ଼ାରେ ୧୮ ଗାଁ ସୁନାମିପ୍ରବଣ

ମହାକାଳପଡ଼ା,୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ସମୁଦ୍ର କୂଳିଆ ଅଞ୍ଚଳର ୧୮ ଗ୍ରାମକୁ ସୁନାମିପ୍ରବଣ ଭାବେ ଚିହ୍ନଟ କରାଯାଇଛି। ତେବେ ଚିହ୍ନଟ ହୋଇଥିବା ଗାଁଗୁଡ଼ିକର ଲୋକମାନେ ସୁନାମି ପ୍ରଭାବରୁ ବର୍ତ୍ତିବା ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଗାଁରେ ୨୦୧୮ ଠାରୁ ଆଗୁଆ ସୂଚନା ଟାୱାର ନିର୍ମାଣ କରାଯାଇଛି। ଫଳରେ ପ୍ରଭାବିତ ଅଞ୍ଚଳ ଲୋକମାନେ ପରିବାରର ସୁରକ୍ଷା ପାଇଁ ଉଚ୍ଚ ତଥା ନିରାପଦ ସ୍ଥାନକୁ ସ୍ଥାନାନ୍ତର ହୋଇପାରିବେ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସଚେତନ କରାଇବାକୁ କୁହାଯାଇଛି। ତେବେ ସମୁଦ୍ରରେ ଭୂକମ୍ପ ସୃଷ୍ଟି ହେଲେ ଏହା ପ୍ରଭାବରେ ଉପର ଭାଗରେ ଜଳସ୍ଥଳ ଭାଗକୁ ଦ୍ରୁତ୍ରବେଗରେ ଅଗ୍ରସର ହେବା ସହ ଜଳ ପ୍ଲାବିତ କରାଇଥାଏ। କିନ୍ତୁ ସମୁଦ୍ରରେ ବଡଧରଣର ଭୂକମ୍ପ ଅନୁଭୂତ ହେଲେ ଉପକୂଳ ଅଞ୍ଚଳ ଗାଁରେ ସୁନାମି ଟାୱାରଗୁଡ଼ିକ ୪୫ ମିନିଟ୍‌ ପୂର୍ବରୁ ସାଇରନ ବାଜି ସୂଚନା ଦେଇଥାଏ। ସତର୍କ ସୂଚନା ମିଳିବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ନିରାପଦ ପାଇଁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ହୋଇପାରିବେ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ବ୍ଲକର ମୁଖ୍ୟ କାର୍ଯ୍ୟଳୟ ପରିସରରେ ଏକ ସୁନାମି ସତର୍କ ସୂଚନା କେନ୍ଦ୍ର ରହିଛି। ବ୍ଲକ କାର୍ଯ୍ୟାଳୟ କୋଠରିରେ ଏକ ସ୍ବୟଂଚାଳିତ ନିୟନ୍ତ୍ରଣ କକ୍ଷ ରହିଛି। ମହାକାଳପଡା ବ୍ଲକ ଉପକୂଳ ଅଞ୍ଚଳର ନାଞ୍ଜୁରା ପଞ୍ଚାୟତ ତନ୍ତିଆପାଳ ଶାସନ, ରଟପଙ୍କ, ନରସିଂହପୁର, ଜମ୍ବୁ ପଞ୍ଚାୟତର ଉତ୍ତର ଜମ୍ବୁ, ଜମ୍ବୁ କେନାଲ ଲକ୍‌, କଣ୍ଡରାପାଟିଆ, ବତିଘର ପଞ୍ଚାୟତର ବଡ଼ ଟୁବି, କଜଳପାତିଆ ଓ ଦକ୍ଷିଣ ବରକୋଳି ଖୋଳା ଆଦି ଗାଁରେ ସୁନାମି ସତର୍କ ସୂଚନା କେନ୍ଦ୍ର ସ୍ଥାପନ କରାଯାଇଛି। ଏହି ସତର୍କ ସୂଚନା କେନ୍ଦ୍ର ଅଧିକାଂଶ ସ୍ଥାନରେ ରକ୍ଷଣାବେକ୍ଷଣ ଅଭାବ ଯୋଗୁ କାର୍ଯ୍ୟକ୍ଷମ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହି ସୂଚନା କେନ୍ଦ୍ର ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ନିିର୍ମାଣ କରାଯାଇଛି। ଏହି ଟାୱାରଟି ଉପଗ୍ରହ ମାଧ୍ୟମରେ ସୁନାମି ଆସିବାର ସାଇରନ୍‌ ବାଜି ଉଠିବ ବୋଲି କୁହାଯାଇଛି। କିନ୍ତୁ ଟାୱାରଟିରେ ସାମାନ୍ୟ ତ୍ରୁଟି ରହିଲେ, ସୁନାମି ସମ୍ବନ୍ଧରେ ସତର୍କ ସୂଚନା ଫେଲ୍‌ ମାରିବା ଆଶଙ୍କା ରହିଛି ବୋଲି କୁହାଯାଇଛି। ଏହି କେନ୍ଦ୍ରଗୁଡ଼ିକ ଭାରତ ସରକାରଙ୍କ ଦ୍ୱାରା ଇନ୍‌ଫର୍‌ ମେଶନ ଟେକ୍ନୋଲୋଜି ଅଧୀନର ହାଇଦ୍ରାବାଦସ୍ଥିତ ମୁଖ୍ୟ ନିୟନ୍ତ୍ରଣ କକ୍ଷ ରହିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ସୁନାମି ସତର୍କ ସୂଚନା କେନ୍ଦ୍ର ସଂକ୍ରାନ୍ତରେ ବିଡିଓ ସାଗର କୁମାର ନନ୍ଦଙ୍କୁ ପଚାରିବାରେ ଯଦି କୌଣସି ସୁନାମି ସତର୍କ ଟାଓ୍ବାରରେ କିଛି ଅସୁବିଧା ରହିଥିବା ଆଗାମୀ ଦିନରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।