Categories: ଖେଳ

ଇତିହାସ ରଚିଲେ ୧୮ ବର୍ଷୀୟ କ୍ରିକେଟର୍‌

କରାଚି,୨୦।୧୨: ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ତୃତୀୟ ମ୍ୟାଚ ଖେଳାଯାଉଛି। ଇଂଲଣ୍ଡ ଦଳ ଏହି ସିରିଜରେ ୨-୦ ଅଗ୍ରଣୀ ହାସଲ କରିସାରିଛି। ଏଥି ସହିତ ତୃତୀୟ ଟେଷ୍ଟ ମ୍ୟାଚ ଜିତିବା ନିକଟତର ହୋଇଛି। ଚତୁର୍ଥ ଦିନରେ ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ ଜିତିବା ପାଇଁ ୫୫ ରନ ଆବଶ୍ୟକ ଏବଂ ୮ଟି ଉଇକେଟ ବାକି ଥିଲା। ଏହି ମ୍ୟାଚ୍‌ରେ ଯୁବ ସ୍ପିନର ରେହାନ ଅହମ୍ମଦ ଇଂଲଣ୍ଡ ପାଇଁ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି।
ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟରେ ଡେବ୍ୟୁ କରିଥିବା ଇଂଲଣ୍ଡ ଲେଗ ସ୍ପିନର ରେହାନ ଅହମ୍ମଦ ଏକ ବଡ଼ ରେକର୍ଡ କରିଛନ୍ତି। ୧୮ ବର୍ଷ ୧୨୬ ଦିନ ବୟସରେ ଟେଷ୍ଟ ଡେବ୍ୟୁ କରି ରେହାନ ଦ୍ୱିତୀୟ ଇନିଂସରେ ୫ ଉଇକେଟ୍‌ ନେଇଥିଲେ। ଫଲରେ ଡେବ୍ୟୁ ମ୍ୟାଚ୍‌ରେ ୫ ଉଇକେଟ୍‌ ନେବାରେ ସେ ସର୍ବକନିଷ୍ଠ କ୍ରିକେଟର୍‌ ହୋଇଛନ୍ତି। ରେହାନ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସଙ୍କ ରେକର୍ଡ ଭାଙ୍ଗିଥିଲେ। କମିନ୍ସ ୨୦୧୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଡେବ୍ୟୁରେ ସେ ୬ଟି ଉଇକେଟ୍‌ ନେଇଥିଲେ। ସେତେବେଳେ କମିନ୍ସଙ୍କ ୧୮ ବର୍ଷ ୧୯୩ ଦିନ ବୟସ ହୋଇଥିଲା।
ରେହାନ ଅହମ୍ମଦଙ୍କ ପିତା ନାଏମ ଅହମ୍ମଦ ତାଙ୍କ ପୁଅକୁ ଷ୍ଟାଣ୍ଡରୁ ଏହି ସଫଳତା ହାସଲ କରୁଥିବା ଦେଖୁଥିଲେ ଏବଂ ଆନନ୍ଦରେ କରତାଳି ଦେଇଥିଲେ। ପରେ ଭାବପ୍ରବଣ ହୋଇଥିଲେ।

Share