କରୋନା ଲଢ଼େଇରେ ହିରୋ ସାଜିଛନ୍ତି ୧୮୦ ମୌଲବୀ

ମୁମ୍ବାଇ, ୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ୧୮୦ ଜଣ ମୌଲବୀ କରୋନା ଲଢ଼େଇରେ ହିରୋ ସାଜିଛନ୍ତି। ସେମାନେ ଘରଘର ବୁଲି ସଚେତନତା ବାର୍ତ୍ତା ଦେଉଛନ୍ତି। କିଭଳି କରୋନା ସଂକ୍ରମଣରୁ ଦୂରେଇ ରହିହେବ ସେ ନେଇ ଲୋକଙ୍କୁ ବୁଝାଇବା କାର୍ଯ୍ୟ ଜାରି ରଖିଛନ୍ତି। ଲୋକଙ୍କୁ ଘରେ ରହିବାକୁ ସେମାନେ ପରାମର୍ଶ ଦେଉଛନ୍ତି। ମୁହଁରେ ମାକ୍ସ୍‌ ବାନ୍ଧି ସାମାଜିକ ଦୂରତା ମାର୍ଗଦର୍ଶିକା ପାଳନ କରିବା ଲାଗି ସେମାନେ ଲୋକଙ୍କୁ ରାସ୍ତାଘାଟରେ ମଧ୍ୟ ସଚେତନ କରୁଛନ୍ତି। ମୁମ୍ବାଇର ଧରାବୀ ବସ୍ତିରେ ଏଭଳି ସଚେତନତା କାର୍ଯ୍ୟ ଦେଖିବାକୁ ମିଳୁଛି। ୨.୫ ବର୍ଗ କିଲୋମିଟର ଅଞ୍ଚଳରେ ରହିଥିବା ଧରାବୀ ବସ୍ତିର ଜନସଂଖ୍ୟା ୬ ଲକ୍ଷରୁ ଅଧିକ। ଏଠାରେ ୩୦ ପ୍ରତିଶତ ମୁସଲମାନ ବାସ କରନ୍ତି। ଧରାବୀରେ ମୋଟ ୫ ଶହ ମସଜିଦ୍‌ ରହିଛି। ମୌଲବୀଙ୍କ ଏଭଳି କାର୍ଯ୍ୟରେ ଜି-ନର୍ଥ ଓ୍ବାର୍ଡ଼ର କମିଶନର କିରଣ ଦିଘାଓ୍ବକର ଆବଶ୍ୟକ ସହାୟତା ଯୋଗାଇ ଦେଇଛନ୍ତି। ଫଳରେ କୁମ୍ଭରଓ୍ବାଡ଼ା ଏବଂ କୁଠିଓ୍ବାଡ଼ି ହଟସ୍ପଟ୍‌ ଅଞ୍ଚଳରେ କରୋନା ସଂକ୍ରମଣ ଯଥେଷ୍ଟ କମିଥିବା କୁହାଯାଉଛି। ଏବେ ମୌଲବୀଙ୍କ ଏହି କାର୍ଯ୍ୟ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share