Categories: ଜାତୀୟ

୧୦ ପଦବୀ ପାଇଁ ୧,୮୦୦ ଆଶାୟୀ

ଅହମଦାବାଦ,୧୨ା୭:ଗୁଜରାଟରେ ଏକ ଘରୋଇ କମ୍ପାନୀର ୧୦ ପଦବୀରେ ନିଯୁକ୍ତି ପାଇଁ ଇଣ୍ଟରଭ୍ୟୁ ଦେବାକୁ ୧,୮୦୦ ଆଶାୟୀ ପହଞ୍ଚତ୍ବାରୁ ଦଳାଚକଟା ସ୍ଥିତି ଉପୁଜିଥିଲା। ଭରୁଚ୍‌ ଜିଲାର ଅଙ୍କଲେଶ୍ୱରସ୍ଥିତ ଲର୍ଡସ୍‌ ପ୍ଲାଜା ହୋଟେଲରେ ସୋମବାର ନିଯୁକ୍ତି ପାଇଁ ସାକ୍ଷାତ୍‌କାର ହେଉଥିଲା। ଗହଳି ଯୋଗୁ ପ୍ରାର୍ଥୀମାନଙ୍କ ମଧ୍ୟରେ ଠେଲାପେଲା ହୋଇ ହୋଟେଲର ଷ୍ଟିଲ୍‌ ରେଲିଂ ଭାଙ୍ଗିଯିବାରୁ ବହୁ ଆଶାୟୀ ତଳେ ପଡ଼ିଯାଇଥିଲେ। ଏହି ଦୃଶ୍ୟ ଦେଶରେ ବେରୋଜଗାରି ବୃଦ୍ଧିର ପ୍ରମାଣ ଏବଂ ଭାଜପା ଗୁଜରାଟ ମଡେଲର ବିଫଳତା ବୋଲି କଂଗ୍ରେସ କହିଛି। ଭାଇରାଲ୍‌ ଭିଡିଓରେ ଶହ ଶହ ଆଶାୟୀ ସାକ୍ଷାତ୍‌କାର ଦେବା ପାଇଁ ହୋଟେଲ ପ୍ରବେଶ ପଥର ଉଭୟ ପାର୍ଶ୍ୱରେ ଠେଲାପେଲା ହୋଇଥିଲେ। ଗହଳି ବଢ଼ିବାରୁ ରେଲିଂ ଦବିଯାଇଥିଲା। କେତେଜଣ ପରୀକ୍ଷାର୍ଥୀ ରେଲିଂ ଉପରେ ଛିଡ଼ା ହେବାରୁ ଏହା ଭୁଶୁଡ଼ି ପଡ଼ିବାରୁ ୬ ଜଣ ତଳକୁ ଖସିପଡ଼ିଥିଲେ ଓ ଅନ୍ୟ ୨ ଜଣ ଡେଇଁପଡ଼ିଥିଲେ।

Share