Categories: ଜାତୀୟ

ମାଲ୍ୟା, ମୋଦି, ଚୋକ୍‌ସିଙ୍କ ଠାରୁ ୧୮ ହଜାର କୋଟି ଫେରିପାଇଛି ବ୍ୟାଙ୍କ

ନୂଆଦିଲ୍ଲୀ,୨୩।୨: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା, ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ଠାରୁ ୧୮ ହଜାର କୋଟି ଟଙ୍କା ବ୍ୟାଙ୍କଗୁଡ଼ିକୁ ଫେରାଯାଇଛି। ବେଆଇନ ଟଙ୍କା ନେଣଦେଣ ମାମଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଦିଆଯାଇଥିବା ଅତିରିକ୍ତ ଅଧିକାର ବିରୋଧରେ ଦାଖଲ କରାଯାଇଥିବା ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ ଆଗରେ ଉପରୋକ୍ତ ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର।

ନିକଟରେ ସଂଶୋଧିତ ହୋଇଥିବା ପ୍ରିଭେନଶନ ଅଫ୍‌ ମନି ଲାଣ୍ଡରିଂ ଆକ୍ଟ (ପିଏମ୍‌ଏଲଏ)ର ଅପବ୍ୟବହାର ଆଶଙ୍କା ଥିବା ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କଂଗ୍ରେସ ନେତା କପିଲ ଶିବଲ, ଅଭିଷେକ ମାନୁ ସିଙ୍ଗଭି ଓ ମୁକୁଲ ରୋହତଗିଙ୍କ ସମେତ କିଛି ବରିଷ୍ଠ ଓକିଲ।

ହଜାର ହଜାର କୋଟି ଟଙ୍କା ଠକେଇ କରି କିଛି ଲୋକ ଦେଶ ଛାଡ଼ି ପଳାଉଛନ୍ତି। ସେମାନଙ୍କୁ କୋର୍ଟଙ୍କ ସୁରକ୍ଷା ମଧ୍ୟ ମିଳୁଛି। କୋର୍ଟ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ବାରଣ କରୁଥିବାରୁ ବିଚାରଧୀନ ଅପରାଧରେ ୬୭ ହଜାର କୋଟି ଟଙ୍କା ଅଟକି ରହିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିକେଟର ଜେନେରାଲ ତୁଶାର ମେହତା କୋର୍ଟଙ୍କୁ କହିଛନ୍ତି।

Share