୧୮ ହଜାର ହେକ୍ଟର ଚାଷଜମି ପାଣି ଘେରରେ

ଚାନ୍ଦବାଲି,୩୧ା୮(ଡି.ଏନ୍‌.ଏ.): ଚଳିତ ବନ୍ୟାରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବ୍ୟାପକ ଚାଷଜମି ଜଳମଗ୍ନ ହୋଇଛି। ବୈତରଣୀ, ସାଳନ୍ଦୀ ଓ ଏହାର କେତେକ ଶାଖା ନଦୀର ଉପର ମୁଣ୍ଡରେ ଜଳସ୍ତର କମୁଥିବା ବେଳେ ମୁହାଣ ହେତୁ ଚାନ୍ଦବାଲି ଅଞ୍ଚଳରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି। ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ବିଭିନ୍ନ କଲଭର୍ଟ ଦେଇ ବନ୍ୟାଜଳ ବ୍ଲକର ପୂର୍ବପାଖ କେତେକ ପଞ୍ଚାୟତର ଚାଷଜମିରେ ରବିବାରଠାରୁ ଏହା ମାଡ଼ିବାରେ ଲାଗିଛି। ସାମୁଦ୍ରିକ ଜୁଆର ପ୍ରଭାବରେ ସମୁଦ୍ରକୁ ବନ୍ୟାଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇଛି। ଫଳରେ ଏହା ଚାଷଜମିରେ ଜମି ରହି ଧାନଗଛର ବ୍ୟାପକ କ୍ଷତି ଘଟାଇଛି। କୃଷି ବିଭାଗର ପ୍ରାଥମିକ ଆକଳନ ଅନୁସାରେ ବ୍ଲକର ଚାଷ ହୋଇଥିବା ୩୩ ହଜାର ହେକ୍ଟର ଚାଷଜମି ମଧ୍ୟରୁ ପ୍ରାୟ ୧୮ ହଜାର ୧ ଶହ ୯୭ ହେକ୍ଟର ଜମି ତିନିଦିନ ହେବ ବନ୍ୟାପାଣି ଘେରରେ ରହିଛି। ଏହି ସମୟରେ ଟାଣଖରା ଚାଷୀର ଚିନ୍ତା ବଢ଼ାଉଛି। ଜମିରେ ଧାନଗଛ ପଚି ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି। ଅନିୟମିତ ବୃଷ୍ଟିପାତ କାରଣରୁ ଚଳିତବର୍ଷର ଚାଷକାମ ବିଳମ୍ବିତ ହୋଇଥିବା ବେଳେ ବନ୍ୟାଜଳ ଚାଷଜମିରେ ଜମି ରହିଥିବାରୁ ସାମ୍ଭାବ୍ୟ କ୍ଷତିକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛି।

Share