୩ ବିଭାଗରେ ନିଯୁକ୍ତ ହେଲେ ୧୮୧ ଅଫିସର

ଭୁବନେଶ୍ୱର,୧୪ା୭(ଅନିଲ ଦାସ):ରାଜ୍ୟ ସରକାରଙ୍କ ୩ ବିଭାଗରେ ୧୮୧ ଜଣଙ୍କୁ ନୂଆ ନିଯୁକ୍ତି ମିଳିଛି। ସେମାନଙ୍କ ମଧ୍ୟରେ ୧୦୪ ଶିକ୍ଷକ ପ୍ରଶିକ୍ଷକ, ୬୨ ସହକାରୀ ନିର୍ଦ୍ଦେଶକ (ବିଧି) ଏବଂ ୧୫ ସହକାରୀ ପରିସଂଖ୍ୟାନ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦିଆଯାଇଛି। ଗୁରୁବାର ଲୋକସେବା ଭବନ କନ୍‌ଭେନଶନ ସେଣ୍ଟରରେ ଅନୁଷ୍ଠିତ ଏହି ନିଯୁକ୍ତି ପର୍ବ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ରୂପାନ୍ତରକୁ ଆହୁରି ଦ୍ରୁତ ବେଗରେ ଆଗେଇ ନେବା ପାଇଁ ଉଦ୍ୟମ କରିବାକୁ ନବନିଯୁକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ରୂପାନ୍ତରଣକୁ ତ୍ୱରିତ ଗତିରେ ଆଗେଇ ନେବାକୁ ଆମ ସମସ୍ତଙ୍କର ଏକମାତ୍ର ଲକ୍ଷ୍ୟ ହେବା ଦରକାର। ଏଥିପାଇଁ ଆବେଗର ସହ କାର୍ଯ୍ୟ କରିବାକୁ ପଡ଼ିବ। ମାତୃଭୂମିର ରୂପାନ୍ତର ଦେଖିବା ଖୁସିଠାରୁ ଆଉ ବଡ଼ କିଛି ନାହିଁ। ନୂଆ ନିଯୁକ୍ତି ନୂତନ କ୍ୟାରିୟର ଆରମ୍ଭ କରିବା ପାଇଁ ଯେପରି ଶକ୍ତି ଯୋଗାଇଥାଏ ସେହିପରି ନୂତନ ସଶକ୍ତ ଓଡ଼ିଶା ଗଠନ ଦିଗରେ ନିଜର ଦକ୍ଷତା ପ୍ରତିପାଦନ କରିବାକୁ ନବନିଯୁକ୍ତ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ୫-ଟି କାର୍ଯ୍ୟକ୍ରମ ରାଜ୍ୟର ବିକାଶର ଗତିକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରୁଛି। ଏହାକୁ ଅନୁସରଣ କରିବାକୁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ନବନିଯୁକ୍ତ ଅଧିକାରୀମାନେ ଉଚ୍ଚଶିକ୍ଷିତ ଓ ମେଧାବୀ। ସେମାନଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ପିଲାମାନଙ୍କର ପାଠ୍ୟଖସଡ଼ା ପ୍ରସ୍ତୁତ କ୍ଷେତ୍ରରେ ଶିକ୍ଷକ ପ୍ରଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ପ୍ରମୁଖ ଯୋଗଦେଇ ଏହି ନିଯୁକ୍ତି ଦ୍ୱାରା ନିଜ ବିଭାଗରେ ସରକାରଙ୍କ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗଦେଇ ରାଜ୍ୟର ବିକାଶ ପାଇଁ ମନପ୍ରାଣ ଦେଇ କାର୍ଯ୍ୟ କରିବାକୁ ନବନିଯୁକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡି. କେ. ସିଂ ସ୍ବାଗତ ଭାଷଣ ଦେଇଥିବା ବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଅଶ୍ୱସ୍ଥି ଏସ୍‌ ଧନ୍ୟବାଦ ଦେଇଥିଲେ।

Share