କବିସୂର୍ଯ୍ୟନଗର,୧୭ା୨: ଗଞ୍ଜାମ ଜିଲାରେ ନକଲି ଶିକ୍ଷକ ଧରପଗଡ଼ ଜୋରଦାର ଚାଲିଛି। କବିସୂର୍ଯ୍ୟନଗର ଏନ୍ଏସି ଓ ବ୍ଲକରେ ମଧ୍ୟ ଜାଲ ସାର୍ଟିଫିକେଟ ଦେଇ ଶତାଧିକ ଶିକ୍ଷକ ଶିକ୍ଷକତା କରୁଥିବା ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ଅଭିଯୋଗ ହୋଇଥିଲା। ଜିଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଶିକ୍ଷକମାନଙ୍କ ଶିକ୍ଷାଗତ ଓ ତାଲିମ ପ୍ରମାଣପତ୍ର ଯାଞ୍ଚ ହୋଇଥିଲା। ତେବେ କବିସୂର୍ଯ୍ୟନଗର ଆଠଗଡ଼ପାଟଣା ଏକ୍ସବୋର୍ଡ ୟୁପି ସ୍କୁଲର କୁନି ବେହେରା ଓ କନ୍ଧଖଇଡ଼ାର ଲକ୍ଷ୍ମୀ ସେଠୀଙ୍କ ପ୍ରମାଣପତ୍ର ନକଲି ଜଣାପଡିବାରୁ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ଓ ୧୪ ଶିକ୍ଷକଙ୍କ ନାମରେ ମାମଲା ହୋଇଥିବା ବିଇଓ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ କନିଆରୀ ପଞ୍ଚାୟତରେ ବାହାର ଜିଲାରୁ ଆସି ଯୋଗ୍ୟତା ନଥାଇ ଜଣେ ପାଠ ପଢ଼ାଉଥିବା ଗ୍ରାମବାସୀ ବିଇଓଙ୍କ ନିକଟରେ ଅଭିଯୋଗ କରିିଥିଲେ। ଏହାର ତଦନ୍ତ କରାଯିବ ବୋଲି ବିଇଓ କହିଛନ୍ତି। କବିସୂର୍ଯ୍ୟନଗରର ବହୁ ସ୍କୁଲରେ ନକଲି ଶିକ୍ଷକ ଅଛନ୍ତି। ଏହାର ଖୋଳତାଡ଼ ଆରମ୍ଭ କରାଗଲେ ଶତାଧିକ ଧରାପଡ଼ିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ସାର୍ଟିଫିକେଟ ପ୍ରସ୍ତୁତକାରୀ, ସାଇବର ସେଣ୍ଟର, ମୁଖ୍ୟ ଦଲାଲ ଓ ମଧ୍ୟସ୍ଥିଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବାକୁ ଦାବି ହେଉଛି।