Categories: ଫୁରସତ

ପରିବାରରେ ୬ ପିଢ଼ିର ୧୮୫ ସଦସ୍ୟ

ଆଜମେର: ସମ୍ପ୍ରତି ଜଏଣ୍ଟ ଫ୍ୟାମିଲିର ଧାରା ସମାପ୍ତ ହେଉଥିବା ବେଳେ ଅଧିକାଂଶ ଲୋକ ନ୍ୟୁକ୍ଲିଆର ଫ୍ୟାମିଲିରେ ରହିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଏହି ପରିବର୍ତ୍ତନଶୀଳ ଧାରା ମଧ୍ୟରେ ରାଜସ୍ଥାନର ଏକ ପରିବାରରେ ସମୁଦାୟ ୧୮୫ଜଣ ସଦସ୍ୟ ଏକାଠି ବସବାସ କରୁଥିବା ଜଣାପଡ଼ିଛି। ଏବେ ଏହି ପରିବାରର ମୁଖିଆ ବାଗଡ଼ି ମାଲି ରହିଛନ୍ତି। ସୋସିଆଲ ମିଡିଆରେ ଏହି ପରିବାରର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପରିବାରର ସମସ୍ତ ସଦସ୍ୟ ଏକାଠି ନଜର ଆସିଛନ୍ତି।
୩୬ କିଲୋମିଟର ଦୂରରେ ନାସିରାବାଦ ନିକଟସ୍ଥ ରାମସର ଗ୍ରାମରେ ଏହି ବିଶାଳ ପରିବାର ବସବାସ କରୁଛି। ବଡ଼ ପରିବାର ହୋଇଥିବାରୁ ରୋଷେଇ ଘର ମଧ୍ୟ ବଡ଼ ହୋଇଥିବା ପରିବାରର ମହିଳାମାନେ କହିଛନ୍ତି। ଏହି ପରିବାରରେ ସକାଳ ଓ ସାରେ ଏକସଙ୍ଗେ ୧୩ଟି ଚୁଲି ଜଳେ, ଯେଉଁଥିରେ ପ୍ରତ୍ୟେକ ଦିନ ୧୫ କିଲୋଗ୍ରାମ ପନିପରିବା ଓ ୫୦ କିଲୋଗ୍ରାମରୁ ଅଧିକ ମଇଦା ବ୍ୟବହାର କରାଯାଇଥାଏ। ଘରର ମହିଳା ଓ ଝିଅମାନେ ପୂରା ପରିବାର ପାଇଁ ଖାଦ୍ୟ ରାନ୍ଧିଥାନ୍ତି। ସେହିପରି ପ୍ରତି ମାସରେ ରାଶନ ପାଇଁ ମଧ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହି ପରିବାରରେ ୬ଟି ପିଢ଼ି ଏକାଠି ରୁହନ୍ତି, ଯେଉଁଥିରେ ୬୫ ଜଣ ପୁରୁଷ, ୬୦ ଜଣ ମହିଳା ଓ ୬୦ ଜଣ ଶିଶୁ ରହିଛନ୍ତି।
ଏହି ପରିବାର ବାଗଡ଼ିଙ୍କ ଜେଜେବାପା ସୁଲତାନ ମାଲିଙ୍କଠାରୁ ଆରମ୍ଭ ହୋଇଛି। ସୁଲତାନଙ୍କର ୬ ପୁଅ ରହିଛନ୍ତି। ସେ ସର୍ବଦା ନିଜ ୬ ପୁଅଙ୍କୁ ପରିବାରକୁ ଏକଜୁଟ କରି ରଖିବାକୁ ଶିକ୍ଷା ଦେଇଥିବା ବାଗଡି କହିଛନ୍ତି। ଆଜିବି ପରିବାରରେ ସୁଲତାନଙ୍କ ଏହି ଶିକ୍ଷାକୁ ସମସ୍ତେ ଅନୁସରଣ କରୁଛନ୍ତି। ଯେତେବେଳେ ଏହି ପରିବାରର କୌଣସି ସଦସ୍ୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥାଏ, ପରିବାରର ସମସ୍ତ ମୁରବି ଏକାଠି ବସି ଉକ୍ତ ବିବାଦ ସମାଧାନ କରୁଥିବା ବାଗଡି କହିଛନ୍ତି।
ପରିବାରର କିଛି ସଦସ୍ୟ ସରକାରୀ ଓ କେତେକ ଘରୋଇ ସଂସ୍ଥାରେ କାମ କରୁଥିବାବେଳେ ଅନ୍ୟ ସଦସ୍ୟମାନେ ଚାଷ, ପଶୁପାଳନ, ଦୋକାନ ଆଦି ଦ୍ୱାରା ରୋଜଗାର କରିଥାନ୍ତି। ପରିବାରର ସମସ୍ତେ ଏକାଠି ଖାଇବା ସହ ପରସ୍ପରର ସୁଖ ଓ ଦୁଃଖରେ ଠିଆ ହୋଇଥାନ୍ତି।

Share