ନିଯୁକ୍ତ ହେବେ ୧୮,୭୮୮ କନିଷ୍ଠ ଶିକ୍ଷକ

ଭୁବନେଶ୍ୱର,୧୧ା୭(ଅନିଲ ଦାସ): ରାଜ୍ୟର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକରେ ୧୯ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ମିିିଳିବ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଦ୍ୱାରା ୧୮,୭୮୮ ପ୍ରାର୍ଥୀଙ୍କ ଚୟନ ତାଲିକା ପ୍ରକାଶ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁମୋଦନ କରାଯାଇଛି। ଏହି ଆଧାରରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକରେ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ନିମନ୍ତେ ୨୦,୦୦୦ କନିଷ୍ଠ ଶିକ୍ଷକ(ଯୋଜନାଭିତ୍ତିକ) ନିଯୁକ୍ତି ନିମନ୍ତେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ବିଜ୍ଞାପନ ପ୍ରକାଶ କରାଯାଇଥିଲା। ଏହି ମାମଲାର ବିଚାର କରି ଉଚ୍ଚ ନ୍ୟାୟାଳୟ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ ଆଧାରରେ ଆବେଦନକାରୀଙ୍କ ଯୋଗ୍ୟତାଭିତ୍ତିକ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଆଧାରରେ ଶିକ୍ଷକ ନିଯୁକ୍ତି କରାଯିବ।

ରାଜ୍ୟ ସରକାର ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚକୁଶଳୀ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରି ବୃଦ୍ଧି କରିଛନ୍ତିି। ଶ୍ରମ ଓ କର୍ମଚାରୀ ବୀମା ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଛି। ପୂର୍ବରୁ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚକୁଶଳୀ ଶ୍ରମିକମାନଙ୍କ ପାରିଶ୍ରମିକ ଯଥାକ୍ରମେ ୩୫୨, ୩୯୨, ୪୪୨ ଓ ୫୦୨ ଟଙ୍କା ଥିଲା। ଏଣିକି ଅଣକୁଶଳୀ ୪୫୦ ଟଙ୍କା ପାଇବାକୁ ଥିବାବେଳେ ଅର୍ଦ୍ଧକୁଶଳୀ ୫୦୦, କୁଶଳୀ ୫୫୦ ଓ ଉଚ୍ଚକୁଶଳୀ ଶ୍ରମିକଙ୍କ ମଜୁରି ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ରାଜ୍ୟର ଅଚଳ ଉଠା ଜଳସେଚନ ପ୍ରକଳ୍ପକୁ ସଚଳ କରିବା ଏବଂ ପୁରୁଣା ସଚଳ ପ୍ରକଳ୍ପକୁ ସୁଦୃଢ଼ୀକରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରେ ୨୦୬୫ଟି ଅଚଳ ପ୍ରକଳ୍ପକୁ ସଚଳ କରାଯାଇ ୫୯,୨୯୨ ହେକ୍ଟର ଚାଷ ଜମିକୁ ପୁନଃ ଜଳସେଚିତ କରାଯିବ। ଏଥିସହିତ ୧୦,୧୫୨ଟି ପୁରୁଣା ସଚଳ ପ୍ରକଳ୍ପର ସୁଦୃଢ଼ୀକରଣ କରାଯାଇ ୨,୨୬,୮୮୬ ହେକ୍ଟର ସେଚାଞ୍ଚଳ ଚାଷ ଜମିରେ ଜଳସେଚନର କ୍ଷମତା ବୃଦ୍ଧି କରାଯିବ। ଏହି କାର୍ଯ୍ୟକ୍ରମ ପାଇଁ ଆସନ୍ତା ୫ ବର୍ଷରେ ରାଜ୍ୟ ସରକାର ନିଜସ୍ବ ସମ୍ବଳରୁ ୧୦୮୪.୩୮ କୋଟି ଟଙ୍କା ଖର୍ଚ୍ଚ କରିବେ। ଜଳ ସମ୍ପଦ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ରେ ଅନୁମୋଦନ କରାଯାଇଛି।

Share