ଘୁମୁସର ବନଖଣ୍ଡରେ ୧୯ ଲକ୍ଷ ଚାରାରୋପଣ ଯୋଜନା

ଭଞ୍ଜନଗର, ୧୪।୬(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ଆସନ୍ତା ଜୁଲାଇ ୧ ରୁ ୭ ତାରିଖ ବନ ମହୋତ୍ସବ ସପ୍ତାହ ପାଳନ ହେବ। ଏହି ଅବସରରେ ବ୍ୟାପକ ଚାରାରୋପଣ କରିବା ଯୋଜନା ଅଛି। ଏଥିସହ ଜାପାନ ଇଣ୍ଟର୍‌ନ୍ୟାଶନାଲ କର୍ପୋରେଶନ ଏଜେନ୍ସି ମାଧ୍ୟମରେ ମଧ୍ୟ ଏହି ଦୁଇ ବନଖଣ୍ଡରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଉଭୟ ବନଖଣ୍ଡରେ ବିଭିନ୍ନ ଯୋଜନାରେ ୧୯ ଲକ୍ଷରୁ ଊଦ୍ଧର୍‌ବ ଚାରା ରୋପଣ କରାଯିବ। ତେଣୁ ଉଭୟ ବନଖଣ୍ଡର ବିଭିନ୍ନ ନର୍ସରିରେ ଚାରା ଗଚ୍ଛିତ କରି ରଖାଯାଇଛି। ବର୍ଷା ଆରମ୍ଭ ହେଲେ ଜୁଲାଇ ପହିଲାରୁ ଚାରା ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ। ଏଥିସହ ଜଙ୍ଗଲ ଭିତରେ ହେବାକୁ ଥିବା ଚାରାରୋପଣ ପାଇଁ ଗାତ ଖୋଳା ସରିଛି। ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ଲାଲସିଂ, କେନ୍ଦ୍ରୀୟ ବନାଞ୍ଚଳର ସାଲୁଆପଲ୍ଲୀ, ଗାଲେରୀ ରେଞ୍ଜର ତିନିଚକିଆ, ତାରସିଂ ରେଞ୍ଜର ତାରସିଂ, ଜଗନ୍ନାଥପ୍ରସାଦ ସ୍ଥାୟୀ ନର୍ସରିରେ ଚାରା ଗଚ୍ଛିତ ରଖାଯାଇଛି। ଏହିଭଳି ଦକ୍ଷିଣ ଘୁମୁସର ବନଖଣ୍ଡର ଆସିକା, ବଡଗଡ଼, ସୋରଡ଼ା, ପୋଲସରା, ବୁଗୁଡ଼ା ରେଞ୍ଜର ବିଭିନ୍ନ ସ୍ଥାୟୀ ଏବଂ ଅସ୍ଥାୟୀ ନର୍ସରିରେ ଚାରା ପ୍ରସ୍ତୁତ କରି ରଖାଯାଇଛି।
ଚଳିତବର୍ଷ ପ୍ରଥମ ଥର ପାଇଁ ବୃକ୍ଷ ମେଳା ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ କେନାଲ ଓ ନଦୀ କୂଳରେ ୨୫୦ କିମି ଚାରାରୋପଣ ହେବ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଉକ୍ତ ଚାରାରୋପଣ ହେବ। ସେହିଭଳି ଦକ୍ଷିଣ ଘୁମୁସର ବନଖଣ୍ଡରେ ୧୦୦ କିମି ଚାରାରୋପଣ ହେବ। ଏଥିସହ ଉତ୍ତର ଘୁମୁସର ବନଖଣ୍ଡର ୧୦୭୫ ହେକ୍ଟର ଜଙ୍ଗଲରେ ୪ ଲକ୍ଷ ୨୫ ହଜାର ୫୫୦ ଚାରାରୋପଣ ହେବ। ସାଧାରଣ ଲୋକଙ୍କୁ ୨ ଲକ୍ଷ ୫୩ ହଜାର ଚାରା ୧ ଟଙ୍କାରେ ବଣ୍ଟନ କରାଯିବ। ଦକ୍ଷିଣ ଘୁମୁସର ବନଖଣ୍ଡରେ ଲୋକଙ୍କୁ ୮ ଲକ୍ଷରୁ ଊଦ୍ଧର୍‌ବ ଚାରା ବଣ୍ଟନ କରାଯିବ। ଏଥିସହ ୧୧୫୫ ହେକ୍ଟର ଜଙ୍ଗଲ ମଧ୍ୟରେ ଖାଲିଥିବା ଅଞ୍ଚଳରେ ୪ ଲକ୍ଷରୁ ଊଦ୍ଧର୍‌ବ ଚାରାରୋପଣ ହେବ। ଏନେଇ ଉଭୟ ବନଖଣ୍ଡ ଦାୟିତ୍ୱରେ ଥିବା ଡିଏଫଓ ସୁଦର୍ଶନ ବେହେରା କହିଛନ୍ତି ଯେ, ଚାରାରୋପଣ କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି।

Share