ତୁର୍କୀ ସୀମାରେ ବରଫ ପାଲଟିଗଲେ ୧୯ ଶରଣାର୍ଥୀ

ଇସ୍ତାନବୁଲ,୩।୨: ଗ୍ରୀସ୍‌-ତୁର୍କୀ ସୀମା ନିକଟରୁ ଗୁରୁବାର ଆଉ ୭ ଜଣ ଶରଣାର୍ଥୀଙ୍କ ମୃତଦେହ ମିଳିଛି। ଏହାକୁ ମିଶାଇ ସୀମାରେ ତୁଷାରପାତରେ ମୃତ ଶରଣାର୍ଥୀଙ୍କ ସଂଖ୍ୟା ୧୯ରେ ପହଞ୍ଚତ୍ଛି। ଏହି ମୃତ୍ୟୁ ପାଇଁ ତୁର୍କୀ ପଡୋଶୀ ଗ୍ରୀସ୍‌ ଉପରେ ଦୋଷ ଲଦିଛି। ତୁର୍କୀର ସୀମା ସୁରକ୍ଷା ବଳ ଶରଣାର୍ଥୀମାନଙ୍କୁ ଫ୍ରଣ୍ଟିୟରକୁ ଫେରାଇ ଦେବା ଯୋଗୁ ସେମାନଙ୍କର ମୃତ୍ୟୁ ଘଟିଥିବା ତୁର୍କୀ ସରକାର କହିଛନ୍ତି।

ଗ୍ରୀସ୍‌ ବେଆଇନ ଭାବେ ଶରଣାର୍ଥୀମାନଙ୍କୁ ସୀମାରୁ ଫେରାଇ ଦେଉଛି ବୋଲି ତୁର୍କୀ ରାଷ୍ଟ୍ରପତି ରିସେପ୍‌ ତାୟିପ୍‌ ଏର୍ଡୋଗାନ କହିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗକୁ ଗ୍ରୀସ୍‌ ପକ୍ଷରୁ ଖଣ୍ଡନ କରାଯାଇଛି। ଗ୍ରୀସ୍‌ ସୈନ୍ୟଙ୍କ କଠୋର ମନୋଭାବ ଯୋଗୁ ୧୨ ଜଣ ଶରଣାର୍ଥୀ ତୁଷାର ଝଡ଼ରେ ପ୍ରାଣ ହରାଇଲେ ବୋଲି ବୁଧବାର ତୁର୍କୀ ଆଭ୍ୟନ୍ତରୀଣ ମନ୍ତ୍ରୀ ଅଭିଯୋଗ କରିଥିଲେ। ଥଣ୍ଡାରୁ ରକ୍ଷା ପାଇବା ପାଇଁ ସେମାନଙ୍କ ପାଖରେ ଜୋତା ଏବଂ ପର୍ଯ୍ୟାପ୍ତ ପୋଷାକ ନ ଥିଲା। ତେବେ ଶରଣାର୍ଥୀମାନେ କେଉଁ ଦେଶର ତାହା ସ୍ପଷ୍ଟ ହୋଇନାହିଁ।

Share