ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ୧୯ ଅଧିକାରୀ, ୧୬ ପୂର୍ବତନ ପ୍ରତିନିଧି

ହାଟଡିହୀ,୨୩।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବିଭିନ୍ନ ବିଭାଗର ୧୯ ଅଧିକାରୀ, ବିଭିନ୍ନ ପଞ୍ଚାୟତର ୧୬ ପୂର୍ବତନ ଲୋକ ପ୍ରତିନିଧି ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି l ପୂର୍ବତନ ବିଡ଼ିଓ କୈଳାଶ ବେହେରା, ପୂର୍ବତନ ଜିଆର୍‌ଏସ୍‌ ଭାଗ୍ୟଲକ୍ଷ୍ମୀ ସେନାପତି, ସୁଲଣ ପଞ୍ଚାୟତ ପୂର୍ବତନ ସରପଞ୍ଚ ଅଲିଭା ପଲେଇ ହାଜର ହୋଇ ନିଜ ମତ ରଖିଥିଲେ। ଅନ୍ୟପକ୍ଷେ ହାବଳେଶ୍ୱର ପଞ୍ଚାୟତର ପୂର୍ବତନ ସରପଞ୍ଚ ଅନସୂୟା ବେହେରା ଲିଖିତ ଜବାବ ପ୍ରଦାନ ପାଇଁ ସମୟ ମାଗିଛନ୍ତି। ଆଇନଜୀବୀ ପର୍ଶୁରାମ ପଣ୍ଡା, ୮ଜଣ ଜିଆର୍‌ଏସ୍‌, ୨ଜଣ କନିଷ୍ଠ ଯନ୍ତ୍ରୀ, ୬ଜଣ ପିଇଓ,୧୪ଜଣ ପୂର୍ବତନ ସରପଞ୍ଚ, ପୂର୍ବତନ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶୀଲ ସେଠ ଜବାବ ଦାଖଲ କରିଛନ୍ତି।

ଅପରପକ୍ଷେ କେତେଜଣ ସରକାରୀ କର୍ମଚାରୀ ଏବଂ ଲୋକ ପ୍ରତିନିଧି ସେମାନଙ୍କ ଜବାବ ଦାଖଲ କରି ନ ଥିବାରୁ ସେମାନଙ୍କୁ ଜବାବ ଦାଖଲ ପାଇଁ ଲୋକାୟୁକ୍ତ ସୁଯୋଗ ମଧ୍ୟ ଦେଇଛନ୍ତି l ଶୁଣାଣି ପାଇଁ ୧୬।୫।୨୦୨୪କୁ ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହୋଇଛି l

ସୂଚନାଯୋଗ୍ୟ, ଲୋକାୟୁକ୍ତଙ୍କ ନିକଟରେ ଦାୟର ମାମଲା ନଂ.ଏଲ୍‌ୱାଇ ୬୦୩/୨୦୨୦ ଏବଂ ୧୨୨୫/୨୦୨୦ ଅନୁସାରେ ଗତ ୨୦୧୫- ୨୦୧୬ ରୁ ୨୦୨୦-୨୦୨୧ ବର୍ଷ ପର୍ଯ୍ୟନ୍ତ ସରକାରୀ ଉନ୍ନୟନ କାର୍ଯ୍ୟର ଅଡିଟ ନିର୍ଦ୍ଦେଶ ହୋଇଥିଲା l ଅଡିଟରେ ଅନିୟମିତତା ହୋଇଥିବା ରିପୋର୍ଟ ଆଧାରରେ ଲୋକାୟୁକ୍ତ ଶତାଧିକ ସରକାରୀ କର୍ମଚାରୀ ଏବଂ ଲୋକ ପ୍ରତିନିଧିଙ୍କୁ ନୋଟିସ କରି ଜବାବ ମାଗିଥିଲେ।

ଅପରପକ୍ଷେ କିଛି ସରକାରୀ କର୍ମଚାରୀ କେନ୍ଦୁଝର ଜିଲାପାଳଙ୍କୁ ଲୋକାୟୁକ୍ତ ମଗାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ଏକ ଆଦେଶକୁ ଓଡ଼ିଶା ହାଇକୋର୍ଟଙ୍କ ନିକଟରେ ଚ୍ୟାଲେଞ୍ଜ କରିଥିଲେ। କେସ ନଂ.ଡବ୍ଲୁପି(ସି)୨୨୩୩୩/୨୦୨୩ ଏବଂ ୧୮୪୮୯/୨୦୨୩। କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ନି ବୋଲି ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଥିଲେ l ଯାହାକି ଏବେ ହାଇକୋର୍ଟରେ ବିଚରାଧୀନ ରହିଥିବା ଏବଂ ମଧ୍ୟବର୍ତ୍ତୀ କାଳୀନ ସ୍ଥଗିତାଦେଶ ବଳବତ୍ତର ରହିଥିବା ଆଇନଜୀବୀ ପଣ୍ଡା ଲୋକାୟୁକ୍ତ ନିକଟରେ ମତ ରଖିଥିଲେ।