Categories: ଜାତୀୟ

ବାଣଫୁଟାକୁ ନେଇ ଦୁଇପକ୍ଷ ମୁହାଁମୁହିଁ, ୧୯ ଜଣ ପୋଲିସ ହେପାଜତରେ…

ଅହମଦାବାଦ,୨୫।୧୦: ଦୀପାବଳି ଅବସରରେ ଗୁଜରାଟର ବଡୋଦରା ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ବାଣଫୁଟାକୁ ନେଇ ସଂଘର୍ଷ ହୋଇଥିଲା। ଏହା ପରେ ପୋଲିସ ଉଭୟ ପକ୍ଷରୁ ୧୯ ଜଣଙ୍କୁ ଗିରଫ କରିଥିଲା। ମଙ୍ଗଳବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଏହି ଘଟଣା ସୋମବାର ବିଳମ୍ବିତ ରାତି ପ୍ରାୟ ୧୨ଟା ୪୫ ସମ୍ବେଦନଶୀଳ ପାନିଗେଟ ଅଞ୍ଚଳରେ ଘଟିଛି।

ବଡୋଦରା ଡେପୁଟି କମିଶନର ଯଶପାଲ ଜଗନିଆ କହିଛନ୍ତି ଯେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଅଛନ୍ତି, ଯିଏ ସଂଘର୍ଷ ଆରମ୍ଭ ହେବାର ପ୍ରାୟ ଏକ ଘଣ୍ଟା ପରେ ତୃତୀୟ ମହଲାର ଏକ ଘରୁ ଜଣେ ପୋଲିସ କର୍ମଚାରୀଙ୍କ ଉପରକୁ ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି।

ଅଧିକାରୀଙ୍କ କହିବାନୁସାରେ, ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି। ସେ କହିଛନ୍ତି ଯେ ଏହି ଅଞ୍ଚଳରେ ପାର୍କିଂ ହୋଇଥିବା ଏକ ମୋଟରସାଇକେଲ ଉପରେ ରକେଟ ଖସିଯିବା ପରେ ନିଆଁ ଲାଗିଯାଇଥିଲା।

ଏହାପରେ ଉତ୍ୟକ୍ତ ଲୋକେ ପରସ୍ପର ଉପରକୁ ରକେଟ ବାଣ ଛାଡ଼ିବା ଆରମ୍ଭ କରିଥିଲେ। ବିବାଦ ବଢ଼ିବା ପରେ ଉଭୟ ପାର୍ଶ୍ୱରୁ ଲୋକମାନେ ପରସ୍ପର ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ।

ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କୁ ମୁତୟନ କରାଯାଇଛି ଏବଂ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ଉଭୟ ପକ୍ଷର ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି।

Share