Categories: ଜାତୀୟ

ପିସିସି ସଭାପତିଙ୍କ ସମେତ ୧୯ ଆହତ

ଅଗରତାଲା,୨୭।୬: ତ୍ରିପୁରା ବିଧାନସଭା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ରବିବାର କଂଗ୍ରେସ ଭବନ ସମ୍ମୁଖରେ ଭାଜପା ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ତ୍ରିପୁରା ପିସିସି ସଭାପତି ବୀରଜିତ ସିହ୍ନାଙ୍କ ସମେତ ୧୯ ଜଣ ଆହତ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ସଂଘର୍ଷ କଂଗ୍ରେସ ଭବନ ଥିବା ପୋଷ୍ଟ ଅଫିସ୍‌ ଚୌମୁହାଣି ଅଞ୍ଚଳ ଜନଶୂନ୍ୟ ହୋଇଯାଇଛି।

ତ୍ରିପୁରାର ୪ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଭାଜପା ୩ଟି ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି। ଫଳ ଘୋଷଣା ପରେ ଅଗରତାଲା ଆସନରୁ ଜିତିଥିବା କଂଗ୍ରେସ ପ୍ରାର୍ଥୀ ସୁଦୀପ ରାୟ ବର୍ମନଙ୍କ ସହ ଉତ୍ସାହୀ ଦଳୀୟ କର୍ମୀମାନେ ଭୋଟଗଣତି କେନ୍ଦ୍ରରୁ କଂଗ୍ରେସ ଭବନକୁ ଫେରିଥିଲେ। ସେମାନେ ମଧ୍ୟାହ୍ନ ଭୋଜନ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଭାଜପା ସମର୍ଥକମାନେ କଂଗ୍ରେସ ଭବନ ଉପରେ ଆକ୍ରମଣ କରିଥିଲେ।

ପିସିସି ସଭାପତିଙ୍କ ମୁଣ୍ଡରେ ଇଟା ମାଡ଼ ହୋଇଥିବାବେଳେ ଅନ୍ୟ ଜଣେ କଂଗ୍ରେସ କର୍ମୀ ରୋମି ମିଆହଙ୍କୁ ଭାଜପା ସମର୍ଥକମାନେ ଛୁରି ଭୁସିଥିବା କଂଗ୍ରେସର ଗଣମାଧ୍ୟମ ପ୍ରଭାରୀ ଆଶିଷ କୁମାର ଶାହା ଅଭିଯୋଗ କରିଛନ୍ତି। ଭାଜପା ସମର୍ଥକମାନେ ଢେଲାମାଡ଼ କରିବା ସହ କଂଗ୍ରେସ ଭବନ ସମ୍ମୁଖରେ ଥିବା କେତେକ ଗାଡ଼ି ଭଙ୍ଗାରୁଜା କରିଥିଲେ। ଆକ୍ରମଣ ସମୟରେ ପୋଲିସ ନୀରବଦ୍ରଷ୍ଟା ସାଜିଥିଲା ବୋଲି କଂଗ୍ରେସ ଅଭିଯୋଗ କରିଛି। ଅନ୍ୟପକ୍ଷରେ ପ୍ରଥମେ କଂଗ୍ରେସ ସମର୍ଥକମାନେ ଅଗରତାଲା ମ୍ୟୁନିସିପାଲ କର୍ପୋରେଶନର ଭାଜପା କର୍ପୋରେଟରଙ୍କୁ ଟେକାମାଡ଼ କରିଥିଲେ ବୋଲି ସୂଚନା ଓ ସଂସ୍କୃତି ବ୍ୟାପାର ମନ୍ତ୍ରୀ ସୁଶାନ୍ତ ଚୌଧୁରୀ ଅଭିଯୋଗ କରିଛନ୍ତି।

 

Share