Categories: ଜାତୀୟ

ଅକ୍ଟୋବରରେ ୧୯ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି…

ଶ୍ରୀନଗର,୧।୧୧: ଅକ୍ଟୋବରରେ ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜାରି ରହିଥିବା ଆତଙ୍କବାଦୀ ବିରୋଧୀ ଅଭିଯାନ ଅପରେଶନ୍‌ ଅଲ୍‌ଆଉଟ୍‌କୁ ସଫଳତା ମିଳିଛି। ମାସକ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୪୪ ଜଣଙ୍କ ମୃତ୍ୟୁ ଘଟିଛି। ସେଥି ମଧ୍ୟରେ ୧୯ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଥିବାବେଳେ ଆତଙ୍କବାଦୀମାନେ ୧୩ ଜଣ ସାଧାରଣ ଲୋକଙ୍କ ହତ୍ୟା କରିଛନ୍ତି।

ଅପରପକ୍ଷରେ ସର୍ଚ୍ଚ ଅପରେଶନ୍‌ ସମୟରେ ୧୨ ଜଣ ସୁରକ୍ଷା କର୍ମୀ ଶହୀଦ ହୋଇଛନ୍ତି। ଭାରତ ପାକିସ୍ତାନ ମଧ୍ୟରେ ଏଲ୍‌ଓସିରେ ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ଅନୁପ୍ରବେଶ ଘଟଣା ହ୍ରାସ ପାଇଛି। ତେବେ ଜମ୍ମୁ-କଶ୍ମୀରର କେତେକ ଅଞ୍ଚଳରେ ହିଂସାତ୍ମକ ଘଟଣା ବୃଦ୍ଧି ପାଇଛି। ଆତଙ୍କବାଦୀମାନେ ୫ ଜଣ ବାହାର ରାଜ୍ୟର ଶ୍ରମିକଙ୍କ ସମେତ ମୋଟ ୧୩ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି।

ଆତଙ୍କବାଦୀମାନେ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ଫଳରେ ସ୍ଥାନାନ୍ତରଣ ମଧ୍ୟ ବୃଦ୍ଧି ପାଇଛି। ଇତିମଧ୍ୟରେ ୩୫୦ରୁ ଅଧିକ ପରିବାର ଜମ୍ମୁ-କଶ୍ମୀର ଛାଡ଼ିଛନ୍ତି। ତେବେ ଆତଙ୍କବାଦୀ ଆକ୍ରମଣର ଜବାବରେ ସୁରକ୍ଷା ବାହିନୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗତ ୨୨ ଦିନ ଧରି ସୁରକ୍ଷା ବାହିନୀ ରାଜୌରୀ-ପୁଞ୍ଚ ଜଙ୍ଗଲରେ ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି।

ଏପର୍ଯ୍ୟନ୍ତ ସୁରକ୍ଷା ବାହିନୀ ୧୪ ଟି ମୁହାଁମୁହିଁ ଘଟଣାରେ ୧୯ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି। ସରକାରଙ୍କ ପକ୍ଷରୁ କଡ଼ାପଦକ୍ଷେପ ଗ୍ରହଣ କରାଯାଇ ଆତଙ୍କବାଦୀଙ୍କ ସମର୍ଥକକୁ ଚାକିରିରୁ ହଟାଇ ଦେଇଛନ୍ତି। ଏହା ସହିତ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

Share