ଘରୋଇ କଳହରୁ ପୁଅ ନେଲେ ଚରମ ନିଷ୍ପତ୍ତି

ଜମନକିରା,୧୧।୫: ଘରୋଇ କଳହରୁ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଛି ଜଣେ ୧୯ ବର୍ଷର ଯୁବକ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲା ଜମନକିରା ବ୍ଲକ ଅନ୍ତର୍ଗତ କେନାଢିପା ଗ୍ରାମରେ। ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ନିଶା ସେବନ କରି ବାପା ବାବାଜୀ ନାଏକଙ୍କ ସହିତ ୧୯ ବର୍ଷର ପୁଅ ଦୁଷ୍ମନ୍ତ ଝଗଡ଼ା କରିଥିଲେ। ଦୁଷ୍ମନ୍ତ ଏଥିରେ ଉତ୍ତ୍ୟକ୍ତ ହୋଇ କାଠଫାଳିଆରେ ବାପାଙ୍କୁ ଆକ୍ରମଣ କରିଥିଲେ। ଏହାପରେ ରାତି ଦଶଟାରେ ସେ ଘରୁ କୁଆଡ଼େ ପଳାଇଯାଇଥିଲେ। ପ୍ରାୟ ସବୁବେଳେ ଦୁଷ୍ମନ୍ତ ନିଶା ସେବନ କରି ରାତିରେ ପରିବାର ଲୋକଙ୍କ ସହିତ ଝଗଡ଼ା କରି ଘରୁ ବାହାରିଯାଇ ପଡୋଶୀ ଘରମାନଙ୍କରେ ଶୋଇଥାନ୍ତି। କିନ୍ତୁ ସେଦିନ ସେ କାହାରି ଘରକୁ ଯାଇ ନ ଥିଲେ। ବୁଧବାର ସକାଳେ ବାବାଡେରା ମଠ ଯିବା ବାଟରେ ଥିବା ତାଙ୍କ ନିଜ ମହୁଲ ଗଛରେ ଧଳା ରଙ୍ଗର ଏକ ଗାମୁଛା ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଗାଁଲୋକେ ତାଙ୍କୁ ଏଭଳି ଅବସ୍ଥାରେ ଦେଖି କୁଚିଣ୍ଡା ପୋଲିସକୁ ଖବର ଦେଇଥିଲେ। ଏହି ଘଟଣା ପରେ କେନାଢିପାରେ ଶୋକରଛାୟା ଖେଳିଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏଥିସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

 

Share