Categories: ଜାତୀୟ

୧୯ ବର୍ଷ ପରେ ଗୋଧ୍ରା ଦଙ୍ଗା ମୁଖ୍ୟ ଅଭିଯୁକ୍ତ ଗିରଫ

ବଡ଼ୋଦରା, ୧୭ା୨: ଗୁଜରାଟର ପଞ୍ଚମହଲ ଜିଲା ଗୋଧ୍ରା ରେଳ ଷ୍ଟେଶନରେ ସାବରମତି ଏକ୍ସପ୍ରେସ୍‌ରେ ନିଆଁ ଲଗାଇବା ସହ ଦଙ୍ଗା ଭିଆଇଥିବା ରଫିକ୍‌ ହୁସେନ ଭଟୁକଙ୍କୁ ପୋଲିସ ଗିରଫ କରିଛି। ୨୦୦୨ରେ ଏହି ଘଟଣାରେ ୫୯ କରସେବକଙ୍କ ମୃତ୍ୟୁ ଘଟିଥିଲା। ଫେରାର ଥିବା ରଫିକ୍‌ଙ୍କୁ ଗୋଧ୍ରା ସହରରୁ ଗିରଫ କରାଯାଇଥିବା ସ୍ଥାନୀୟ ପ୍ରଶାସନିକ ଅଧିକାରୀ ସୋମବାର ସୂଚନା ଦେଇଛନ୍ତି। ପଞ୍ଚମହଲ ପୋଲିସର ସ୍ପେଶିଆଲ ଅପରେଶନ ଗ୍ରୁପ୍‌(ଏସ୍‌ଓଜି) ଏବଂ ଗୋଧ୍ରା ଟାଉନ ପୋଲିସ ସହରରେ ଥିବା ଏକ ଘରେ ଚଢ଼ାଉ କରିଥିଲା। ରୋଜଗାର ପାଇଁ ଭଟୁକ୍‌ ଫଳ ବିକୁଥିଲେ ବୋଲି ପୋଲିସ କହିଛି। ୨୦୦୨ ଫେବୃୟାରୀ ୨୭ରେ ସାବରମତି ଏକ୍ସପ୍ରେସର ଏସ୍‌-୬ କୋଚ୍‌ରେ ନିଆଁ ଲଗାଇ ଦିଆଯାଇଥିଲା। ଏହି ଟ୍ରେନ୍‌ରେ ରାମମନ୍ଦିର ନିର୍ମାଣ ନିମନ୍ତେ ଅଯୋଧ୍ୟାର ଏକ କାର୍ଯ୍ୟକ୍ରମରୁ ଫେରୁଥିବା ୫୯ କରସେବକଙ୍କ ମୃତ୍ୟୁ ଘଟିଥିଲା।
ଘଟଣା ପରେ ଗୁଜରାଟରେ ସାମ୍ପ୍ରଦାୟିକ ଦଙ୍ଗା ବ୍ୟାପିଥିଲା। ସେବେଠାରୁ ଭଟୁକ୍‌ ଫେରାର ଥିଲେ। ଏଥିସହ ଘଟଣାର ଅନ୍ୟତମ ଅଭିଯୁକ୍ତ ସଲିମ ପାନଓ୍ବାଲା ଏବଂ ସୌକତ ଚର୍‌ଖା ପାକିସ୍ତାନରେ ଲୁଚି ଥିବା ସୂଚନା ରହିଛି। ସେମାନଙ୍କୁ ଗିରଫ ପାଇଁ ଉଦ୍ୟମ ଜାରିଥିବା ପୋଲିସ କହିଛି।

Share