ଗାଜାରେ ୧୯ ହଜାର ଶିଶୁ ଅନାଥ ହୋଇଛନ୍ତି

ରାଫାହ, ୨।୯: ଇସ୍ରାଏଲର କ୍ରମାଗତ ଆକ୍ରମଣ ଯୋଗୁ ଗାଜାରେ ବହୁ ଧନଜୀବନ ନଷ୍ଟ ହେବା ସହ ଅନେକ ଘର ଧ୍ୱଂସସ୍ତୂପରେ ପରିଣତ ହୋଇଛି। ଆକ୍ରମଣରେ ଅନେକ ପାଲେଷ୍ଟିନୀୟ ନିଜର ପରିଜନଙ୍କୁ ହରାଇଛନ୍ତି। ସେହିପରି ବହୁ ଶିଶୁ ମାତାପିତାଙ୍କୁ ହରାଇଛନ୍ତି। ମାତାପିତାଙ୍କୁ ହରାଇଥିବା ଶିଶୁଙ୍କ କାନ୍ଦରେ ଗାଜାର ବିଭିନ୍ନ ପ୍ରାନ୍ତର ଗଳିକନ୍ଦି ଫାଟି ପଡ଼ୁଛି। ୟୁନାଇଟେଡ ନେଶନ୍ସ ଚିଲ୍‌ଡ୍ରେନ୍‌ସ ଫଣ୍ଡ୍‌(ୟୁନିସେଫ୍‌)ର ତଥ୍ୟ ଅନୁଯାୟୀ, ଗତବର୍ଷ ଅକ୍ଟୋବରରୁ ଗାଜା ଷ୍ଟ୍ରିପରେ ଇସ୍ରାଏଲର ଆକ୍ରମଣ ଆରମ୍ଭ ହେବା ପରେ ୪୦,୫୦୦ ଲୋକଙ୍କର ମୃତ୍ୟୁ ଘଟିଛି। ସେହିପରି ୧୯ ହଜାର ଶିଶୁ ଅନାଥ ହୋଇଛନ୍ତି କିମ୍ବା ସେମାନେ ନିଜର ମାତାପିତାଙ୍କଠାରୁ ଅଲଗା ହୋଇଛନ୍ତି। ବର୍ତ୍ତମାନ ପରିବାରର ଅନ୍ୟ ସଦସ୍ୟ ସେହି ଶିଶୁମାନଙ୍କର ଦେଖାଶୁଣା କରୁଛନ୍ତି। ଏହାସତ୍ତ୍ୱେ ମଧ୍ୟ ମାତାପିତାଙ୍କୁ ହରାଇବାର ଦୁଃଖ ପିଲାମାନଙ୍କ ମନରୁ ଲିଭିପାରୁ ନାହିଁ। ୟୁନିସେଫ୍‌ କହିଛି, ଗାଜାରେ ଇସ୍ରାଏଲୀ ସେନା ପକ୍ଷରୁ ବାରମ୍ବାର ଏୟାର ଷ୍ଟ୍ରାଇକ କରାଯିବା ସହ ସ୍ବଳ୍ପ ନୋଟିସରେ ବିସ୍ଥାପନ ପାଇଁ ଆଦେଶ ଦିଆଯାଉଛି, ଯାହାଫଳରେ ଭୟଙ୍କର ହାରରେ ପିଲାମାନେ ଅନାଥ ହେବା ସହ ସେମାନଙ୍କ ପରିବାରଠାରୁ ବିଚ୍ଛିନ୍ନ ହେଉଛନ୍ତି। ବିଭିନ୍ନ ବିସ୍ଫୋରଣ ଏବଂ ଆକ୍ରମଣରୁ ବର୍ତ୍ତିଯାଉଥିବା ଶିଶୁମାନେ ଗାଜାରେ ଥିବା ବିଭିନ୍ନ ଡାକ୍ତରଖାନା ଏବଂ ସ୍ବାସ୍ଥ୍ୟ ଶିବିରଗୁଡ଼ିକରେ ପରିତ୍ୟକ୍ତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଉକ୍ତ ଶିଶୁମାନେ ବହୁତ ଛୋଟ ହୋଇଥିବାରୁ ନିଜ ପରିବାରର ପଚିଚୟ ଓ ଠିକଣା ମଧ୍ୟ କହିପାରୁ ନାହାନ୍ତି। ତେଣୁ ଗାଜାର ଯୁଦ୍ଧ ବହୁଳ ଅଞ୍ଚଳରେ ହଜି ଯାଇଥିବା ନିଜ ନିଜର ପିଲାମାନଙ୍କୁ ଟ୍ରାକ୍‌ କରିବାରେ ପାଲେଷ୍ଟିନୀୟଙ୍କୁ ସାହାଯ୍ୟ କରିବା ପାଇଁ ୟୁନିସେଫ୍‌ ୪ ଲକ୍ଷ ୫୦ ହଜାର ବ୍ରେସ୍‌ଲେଟ ବଣ୍ଟନ କରିବ ବୋଲି ଘୋଷଣା କରିଛି। ଉକ୍ତ ଯୋଜନା ଅନୁଯାୟୀ, ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିବା ୬ ବର୍ଷରୁ କମ୍‌ ଶିଶୁମାନଙ୍କୁ ହସ୍ପିଟାଲ ଶୈଳୀରେ ବ୍ରେସ୍‌ଲେଟ ପ୍ରଦାନ କରାଯିବ।

Share