ଫ୍ଲଏଡ୍‌ଙ୍କ ପରିବାରକୁ ୧୯୬.୨୬ କୋଟି

ଓ୍ବାଶିଂଟନ୍‌, ୧୪ା୩: ଆମେରିକା ପୋଲିସ ହେପାଜତରେ ମୃତ୍ୟୁ ଘଟିଥିବା ଅଶ୍ୱେତ ଜର୍ଜ ଫ୍ଲଏଡ୍‌ଙ୍କ ପରିବାର ସହ ବୁଝାମଣା ପାଇଁ ଚୁକ୍ତିନାମା ସ୍ବାକ୍ଷର କରିଛି ମିନିଆପଲିସ୍‌ ସିଟି କାଉନ୍‌ସିଲ। ଏହି ଚୁକ୍ତି ଅନୁସାରେ ମିନିଆପଲିସ୍‌ ଫ୍ଲଏଡ୍‌ଙ୍କ ପରିବାରକୁ ୨୭ ମିଲିୟନ ଡଲାର (ପ୍ରାୟ ୧୯୬.୨୬ କୋଟି ଟଙ୍କା) ଦେବ ବୋଲି ତାଙ୍କ ଓକିଲ ବେନ କ୍ରମ୍ପ ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି। ମିନିଆପଲିସ୍‌ ସିଟି କାଉନସିଲ ସର୍ବସମ୍ମତି କ୍ରମେ ଏହି ବୁଝାମଣା କରିଛି।
ମେ ୨୫ରେ ଏକ ଦୋକାନରେ ନକଲି ବିଲ୍‌ ବ୍ୟବହାର ଅଭିଯୋଗରେ ଆମେରିକା ପୋଲିସ ଫ୍ଲଏଡ୍‌ଙ୍କୁ ଗିରଫ କରିଥିଲା। ପୋଲିସର ଜଣେ ପୂର୍ବତନ ଅଧିକାରୀ ଡେରେକ ଚାଉଭିନ୍‌ ଫ୍ଲଏଡ୍‌ଙ୍କ ବେକକୁ ପ୍ରାୟ ୯ ମିନିଟ୍‌ ଆଣ୍ଠୁରେ ଚାପି ଧରିଥିଲେ। ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ହେଁ ପୋଲିସ ତାଙ୍କ କଥା ଶୁଣି ନ ଥିଲା। ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫ୍ଲଏଡ୍‌ ଜଣେ ଅଶ୍ୱେତ ହୋଇଥିବାରୁ ପୋଲିସ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣି ମିନିଆପଲିସ୍‌ ସହ ସମଗ୍ର ଆମେରିକାରେ ବିକ୍ଷୋଭ ଆରମ୍ଭ ହୋଇଥିଲା। ଜାତିଗତ ଭେଦଭାବ ବିରୋଧରେ ‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ନାମରେ ଏହି ଆନ୍ଦୋଳନ ବିଶ୍ୱକୁ ବ୍ୟାପିଥିଲା। ୟୁରୋପ ସମେତ ବିଭିନ୍ନ ଦେଶରେ ବର୍ଣ୍ଣ ଭେଦଭାବର ଶିକାର ହେଉଥିବା ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ସେହି ବର୍ଷ ଜୁଲାଇରେ ଫ୍ଲଏଡଙ୍କ ପରିବାର ପକ୍ଷରୁ ସହର ପ୍ରଶାସନ ବିରୋଧରେ ନାଗରିକ ଅଧିକାର ଉଲ୍ଲଂଘନ ନେଇ ମାମଲା ରୁଜୁ ହୋଇଥିଲା। ଏଥିରେ ଚାଉଭିନ୍‌ଙ୍କ ସମେତ ୩ ପୋଲିସ ଅଧିକାରୀଙ୍କ ଉପରେ ହତ୍ୟା ଅଭିଯୋଗ ରହିଥିଲା।
ବିରୋଧରେ ଏହି ମାମଲାର ଶୁଣାଣି ପାଇଁ ବିଚାର ବିଭାଗୀୟ କାର୍ଯ୍ୟ ଚାଲିଛି। ୧୨ ଜଣଙ୍କ ମଧ୍ୟରୁ ୬ ଜଣ ବିଚାରପତି ମାର୍ଚ୍ଚ ୨୯ରୁ ଏହାର ଶୁଣାଣି କରିବେ। ଚାଉଭିନ୍‌ଙ୍କ ନଁାରେ ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ଚାର୍ଜ ଲାଗିଛି। ଯଦି ଏଥିରେ ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଅତିବେଶିରେ ୬୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିପାରନ୍ତି।

Share