କରୋନା ନେଲାଣି ୧୯୬ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ, ୯ା୮: ମହାମାରୀ କରୋନା ଉଗ୍ର ରୂପ ଧାରଣ କରିଥିବାବେଳେ ଦେଶରେ କରୋନା ଯୋଦ୍ଧା ସାଜି ରୋଗୀସେବା କରୁଥିବା ଡାକ୍ତରଙ୍କ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ରୋଗୀଙ୍କୁ ଉପଯୁକ୍ତ ବେଡ୍‌, ଚିକିତ୍ସା ସୁବିଧା ଯୋଗାଇଦେବା ଲାଗି ସେମାନଙ୍କୁ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ଦେଇ କାର୍ଯ୍ୟ କରିବାକୁ ପଡ଼ୁଛି। ଦେଶରେ ୧୯୬ ଡାକ୍ତର କରୋନାରେ ପ୍ରାଣ ହରାଇବା ଦ୍ୱାରା ସ୍ବାସ୍ଥ୍ୟସେବା ପ୍ରଭାବିତ ହୋଇଛି। ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ମନୋବଳ ଦୁର୍ବଳ ହୋଇପଡ଼ୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ହସ୍ତକ୍ଷେପ କରିବା ସହ ଡାକ୍ତର ଓ ସେମାନଙ୍କ ପରିବାର ପ୍ରତି ଅଧିକ ଯତ୍ନଶୀଳ ହେବାକୁ ଭାରତୀୟ ଡାକ୍ତରୀ ସଂଘ(ଆଇଏମ୍‌ଏ) ପକ୍ଷରୁ ଦାବି କରାଯାଇଛି। ଏନେଇ ଏକ ପତ୍ର ପ୍ରଧାନମନ୍ତ୍ରୀଙ୍କ ପାଖକୁ ଶନିବାର ପଠାଯାଇଛି।
କରୋନା ଯୋଦ୍ଧା ସାଜି ଲୋକଙ୍କ ସେବା କରିଆସୁଥିବା ଡାକ୍ତରଙ୍କ ପରିବାର ଲୋକଙ୍କୁ ଅନେକ ସ୍ଥାନରେ ଆଡ୍‌ମିଶନ ଲାଗି ବେଡ୍‌ ମିଳୁନି କି ଔଷଧ ଠିକ୍‌ ଭାବେ ଦିଆଯାଉନାହିଁ ବୋଲି ଆଇଏମ୍‌ଏ ପକ୍ଷରୁ ଅଭିଯୋଗ କରାଯାଇଛି। ସେମାନଙ୍କୁ ସହଯୋଗ କରିବା ଲାଗି ପତ୍ରରେ ଉଲ୍ଲେଖ କରାଯାଇଛି। ସେବା କଲାବେଳେ ଅନେକ ଡାକ୍ତର କରୋନା ଆକ୍ରାନ୍ତ ହେଉଛନ୍ତି ଓ କେତେଜଣ ପ୍ରାଣ ମଧ୍ୟ ହରାଉଛନ୍ତି ବୋଲି ଆଇଏମ୍‌ଏ ମହାସଚିବ ଆର୍‌. ଭି. ଅଶୋକନ ପ୍ରକାଶ କରିଛନ୍ତି। ବିଭିନ୍ନ ସେକ୍ଟରରେ କାମ କରୁଥିବା ଡାକ୍ତରଙ୍କ ମେଡିକାଲ ଓ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ସୁବିଧା ବୃଦ୍ଧିକରିବା ଲାଗି ମଧ୍ୟ ଦାବି କରାଯାଇଛି।
ଆଇଏମ୍‌ଏ ରିପୋର୍ଟ ଅନୁଯାୟୀ କରୋନାରେ ପ୍ରାଣ ହରାଇଥିବା ଡାକ୍ତରଙ୍କ ମଧ୍ୟରୁ ୮୭%ଙ୍କ ବୟସ ୫୦ ବର୍ଷରୁ ଅଧିକ ହେବ। କେବଳ ତାମିଲନାଡ଼ୁରେ ୪୩ ଡାକ୍ତର କରୋନାରେ ପ୍ରାଣ ହରାଇଥିବାବେଳେ ମହାରାଷ୍ଟ୍ର, ଗୁଜରାଟରେ ୨୩ ଜଣ ଲେଖାଏ ଜୀବନ ହାରିଥିବା ଅଶୋକନ ଦର୍ଶାଇଛନ୍ତି। ଏଭଳି ସ୍ଥିତିରେ ରୋଗୀସେବା ଜାରି ରଖିଥିବା ଡାକ୍ତର ଓ ସେମାନଙ୍କ ପରିବାର ପ୍ରତି ଯତ୍ନଶୀଳ ହେବା ଲାଗି ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବାକୁ ଆଇଏମ୍‌ଏ ପକ୍ଷରୁ ପତ୍ର ଦ୍ୱାରା ଦର୍ଶାଯାଇଛି।

Share