Categories: ଖେଳ

୧୯୭୩: ନେଦରଲାଣ୍ଡ୍ସକୁ ପ୍ରଥମ ଟାଇଟଲ

ବିଶ୍ୱକପ୍‌ର ଦ୍ୱିତୀୟ ସଂସ୍କରଣ ନେଦରଲାଣ୍ଡ୍ସର ଆମଷ୍ଟେଲଭିନଠାରେ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ପୂର୍ବ ସଂସ୍କରଣ ଅପେକ୍ଷା ଏଥିରେ ଦଳ ସଂଖ୍ୟା ୨ ବଢ଼ିଥିଲା। ୧୨ଟି ଦଳକୁ ନେଇ ହୋଇଥିଲା ଏହି ବିଶ୍ୱକପ୍‌। ପୂର୍ବ ଫର୍ମାଟ ଭଳି ଏଥର ମଧ୍ୟ ଭାଗ ନେଇଥିବା ୧୨ ଦଳକୁ ୨ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ଗ୍ରୁପ୍‌ ‘ଏ’ରେ ପଶ୍ଚିମ ଜର୍ମାନୀ, ଭାରତ, ସ୍ପେନ୍‌, ନ୍ୟୁଜିଲାଣ୍ଡ, କେନିୟା ଓ ଜାପାନ ରହିଥିଲେ। ସେହିପରି ଗ୍ରୁପ୍‌ ‘ବି’ରେ ପାକିସ୍ତାନ, ନେଦରଲାଣ୍ଡ୍ସ, ବେଲଜିୟମ, ଇଂଲଣ୍ଡ, ମାଲେସିଆ ଓ ଆର୍ଜେଣ୍ଟିନା ସ୍ଥାନ ପାଇଥିଲେ। ୧୯୭୨ ମ୍ୟୁନିଚ୍‌ ଅଲିମ୍ପିକ୍ସରେ ଶ୍ରେଷ୍ଠ ୮ ସ୍ଥାନ ହାସଲ କରିଥିବା ଦଳ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବା ନିୟମ ରହିଥିଲା। ମାତ୍ର ଏହା ମଧ୍ୟରେ ଅଷ୍ଟ୍ରେଲିଆ ଆସୁଥିଲେ ମଧ୍ୟ ଆର୍ଥିକ ସଙ୍କଟ ଯୋଗୁ ଓହରି ଯାଇଥିଲା। ଗ୍ରେଟ୍‌ ବ୍ରିଟେନ ସ୍ଥାନରେ ଇଂଲଣ୍ଡ ଖେଳିଥିଲା। ଅନ୍ୟ ୪ଟି ଦଳକୁ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପକ୍ଷରୁ ନିମନ୍ତ୍ରଣ କରାଯିବାର ଥିଲା। ମାତ୍ର ଅଷ୍ଟ୍ରେଲିଆ ଓହରି ଯିବାରୁ ୫ ଦଳକୁ ନିମନ୍ତ୍ରଣ କରାଯାଇଥିଲା। ଏହି ଦଳଗୁଡ଼ିକ ହେଲେ ସ୍ପେନ୍‌, ମାଲେସିଆ, ବେଲଜିୟମ, ଜାପାନ ଓ ନ୍ୟୁଜିଲାଣ୍ଡ। ଅଷ୍ଟ୍ରେଲିଆ ସ୍ଥାନରେ ସୁଯୋଗ ପାଇଥିଲା ନ୍ୟୁଜିଲାଣ୍ଡ। ପୁଲ୍‌ ‘ଏ’ରୁ ପଶ୍ଚିମ ଜର୍ମାନୀ, ଭାରତ ଏବଂ ପୁଲ୍‌ ‘ବି’ରୁ ପାକିସ୍ତାନ ଓ ଆୟୋଜକ ନେଦରଲାଣ୍ଡ୍ସ ସେମିଫାଇନାଲକୁ ଉନ୍ନୀତ ହୋଇଥିଲେ। ଅପରାଜେୟ ରହିଥିବା ଭାରତ ଖେଳିଥିବା ୫ ମ୍ୟାଚରୁ ୩ ବିଜୟ ଓ ୨ ଡ୍ର ସହ ୧୧ ପଏଣ୍ଟ ପାଇଥିଲା। ନେଦରଲାଣ୍ଡ୍ସ ଓ ପଶ୍ଚିମ ଜର୍ମାନୀ ମଧ୍ୟରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ନିର୍ଦ୍ଧାରିତ ସମୟରେ ଗୋଲଶୂନ୍ୟ ରହିବାରୁ ଫଳାଫଳ ପାଇଁ ପେନାଲ୍ଟି ଶୁଟ୍‌ଆଉଟର ସହାୟତା ନିଆଯାଇଥିଲା। ଏଥିରେ ନେଦରଲାଣ୍ଡ୍ସ ୪-୨ ଗୋଲରେ ବିଜୟୀ ହୋଇ ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା। ଦ୍ୱିତୀୟ ସେମିଫାଇନାଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧-୦ ଗୋଲରେ ହରାଇଥିଲା ଭାରତ। ଫାଇନାଲରେ ନେଦରଲାଣ୍ଡ୍ସକୁ ଭାରତ କଡ଼ା ଟକ୍କର ଦେଇଥିଲା। ଫଳରେ ନିର୍ଦ୍ଧାରିତ ସମୟ ଏବଂ ଅତିରିକ୍ତ ସମୟରେ ଖେଳ ୨-୨ରେ ବରାବର ରହିଥିଲା। ତେବେ ଶୁଟ୍‌ଆଉଟ ପର୍ଯ୍ୟାୟରେ ନେଦରଲାଣ୍ଡ୍ସର ୪ ଗୋଲ ତୁଳନାରେ ଭାରତ ୨ଟି ଦେବାରେ ସକ୍ଷମ ହୋଇଥିଲା। ଫଳରେ ନେଦରଲାଣ୍ଡ୍ସକୁ ପ୍ରଥମ ଟାଇଟଲ ମିଳିଥିଲା। ପ୍ଲେ-ଅଫ୍‌ରେ ପାକିସ୍ତାନକୁ ୧-୦ ଗୋଲରେ ହରାଇ ପଶ୍ଚିମ ଜର୍ମାନୀ ବ୍ରୋଞ୍ଜ ପଦକ ହାସଲ କରିଥିଲା।

Share