Categories: ଖେଳ

୧୯୮୩ ବିଶ୍ବକପ୍‌ ହିରୋ ଯଶପାଲଙ୍କ ଜୀବନର ବଡ଼ ଦୁଃଖ

ନୂଆଦିଲ୍ଲୀ,୧୩।୭: ପୂର୍ବତନ ଭାରତୀୟ କ୍ରିକେଟର ତଥା ୧୯୮୩ ବିଶ୍ୱକପ୍‌ ଚାମ୍ପିୟନ ଦଳର ସଦସ୍ୟ ଯଶପାଲ ଶର୍ମାଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ୧୯୮୩ ବିଶ୍ବକପ୍‌ ଏହି ହିରୋଙ୍କ ଜୀବନରେ ଏକ ବଡ଼ ଦୁଃଖ ଥିଲା।

ଓଲ୍ଡ ଟ୍ରାଫର୍ଡଠାରେ ଖେଳାଯାଇଥିବା ୧୯୮୩ ବିଶ୍ୱକପ୍‌ର ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ଭାରତ ୩୨ ରନ୍‌ରେ ଦୁଇ ଥର ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜକୁ ହରାଇଥିଲା। ସେହି ମ୍ୟାଚ୍‌ରେ ମାଇକେଲ ହୋଲ୍ଡିଂ, ମାଲକମ୍‌ ମାର୍ଶଲ, ଆଣ୍ଡି ରବଟର୍‌ସ ଓ ଜୋଏଲ ଗାର୍ନରଙ୍କ ଭଳି ଘାତକ ବୋଲରଙ୍କ ସାମ୍ନାରେ ୧୨୦ ବଲରେ ୮୯ରନ୍‌ର ଇନିଂସ ଖେଳିଥିଲେ ଯଶପାଲ। ତାଙ୍କ ପାଇଁ ଏହା ଥିଲା ଅନ୍ତର୍ଜାତୀୟ କ୍ୟାରିୟରର ବ୍ୟକ୍ତିଗତ ଶ୍ରେଷ୍ଠ ଇନିଂସ। ସେହି ମ୍ୟାଚ୍‌ର ସିଧାପ୍ରସାରଣ କିମ୍ବା ହାଇଲାଇଟ୍ସ ମଧ୍ୟ ରେକର୍ଡ କରି ନ ଥିଲା ବିବିସି।

ଏ ସମ୍ପର୍କରେ ଯଶପାଲ ଏକ ସାକ୍ଷାତ୍‌କାରେ କହିଥିଲେ, ସେହି ମ୍ୟାଚ୍‌ର ଫୁଟେଜ ପାଇଁ ମୁଁ ବିବିସି ସଦସ୍ୟଙ୍କୁ ବହୁବାର ଯୋଗାଯୋଗ କରିଥିଲି। ଏପରି କି ଯଦି କେହି ସେହି ମ୍ୟାଚ୍‌ର ଫୁଟେଜ ଦିଅନ୍ତି, ମୁଁ ୫ ହଜାର ପାଉଣ୍ଡ୍ସ (୫ଲକ୍ଷରୁ ଊର୍ଦ୍ଧରୁ ଟଙ୍କା) ଦେବାକୁ ପ୍ରସ୍ତୁତ। ସେହି ମ୍ୟାଚ୍‌ରେ ରୋଜର ବିନି ମୋତେ ଖୁବ୍‌ ସହାୟତା କରିଥିଲେ। ମୋ ମତରେ ଦଳୀୟ ସ୍କୋର ୨୫୦ ପାଖାପାଖି ଥିବାବେଳେ ମୁଁ ଆଉଟ୍‌ ହୋଇଥିଲି। ବୋଲରମାନେ ମଧ୍ୟ ଭଲ ବୋଲିଂ କରିଥିଲେ। ଆମେ ମ୍ୟାଚ୍‌ରେ ବିଜୟୀ ହୋଇଥିଲୁ। ମ୍ୟାଚ୍‌ ପାଇଁ ମୋତେ ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। ସେହି ପୁରସ୍କାର ମୋ ପାଇଁ ଖୁବ୍‌ ସ୍ବତନ୍ତ୍ର।

୧୯୭୮ରୁ ୮୫ ମସିହା ମଧ୍ୟରେ ଖେଳିଥିବା ଏହି ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ କ୍ୟାରିୟରରେ ୩୭ ଟେଷ୍ଟରେ ୩୪ରୁ କମ୍‌ ହାରରେ ୨ ଶତକ ସହ ୧,୬୦୬ ରନ୍‌ କରିଥିଲେ। ସେହିଭଳି ୪୨ ଦିନିକିଆରେ ମାତ୍ର ୨୮ ଆଭରେଜରେ ୮୮୩ ରନ୍‌ କରିଥିଲେ ଯଶପାଲ। ତାଙ୍କର ରେକର୍ଡ ସେତେଟା ଭଲ ନ ଥିଲେ ମଧ୍ୟ ୧୯୮୦ ଦଶକରେ ସେ ଜଣେ ମହାନ ବ୍ୟାଟ୍ସମ୍ୟାନ ଭାବେ ପରିଗଣିତ ହେଉଥିଲେ।

Share