Categories: ଖେଳ

କୁସ୍ତିଯୋଦ୍ଧାଙ୍କୁ ୧୯୮୩ ବିଶ୍ୱକପ୍‌ ବିଜୟୀଙ୍କ ସମର୍ଥନ

ନୂଆଦିଲ୍ଲୀ, ୩ା୬(ପି.ଟି.): ବିକ୍ଷୋଭ ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧାମାନଙ୍କୁ ୧୯୮୩ କ୍ରିକେଟ ବିଶ୍ୱକପ୍‌ ବିଜୟୀ ଦଳର ସଦସ୍ୟମାନେ ସମର୍ଥନ ଜ୍ଞାପନ କରିଛନ୍ତି। ଖେଳାଳିମାନଙ୍କ ବିଷୟ ଶୁଣାଯିବ ଏବଂ ସମାଧାନ କରାଯିବ ବୋଲି ସେମାନେ ଆଶା କରିଛନ୍ତିି। ତେଣୁ ତରବରିଆ ଭାବେ କୌଣସି ନିଷ୍ପତ୍ତି ନ ନେବା ଲାଗି ପରାମର୍ଶ ଦେଇଛନ୍ତି। ୧୯୮୩ ବିଶ୍ୱକପ୍‌ ବିଜୟୀ ଦଳର ସଦସ୍ୟମାନେ ଏକ ମିଳିତ ବିବୃତିରେ କହିିଛନ୍ତି, କୁସ୍ତିଯୋଦ୍ଧାଙ୍କ ଉପରେ ପୋଲିସର ବଳ ପ୍ରୟୋଗ ଦୃଶ୍ୟ ସେମାନଙ୍କୁ ବ୍ୟଥିତ ଓ ବିବ୍ରତ କରିଛି। କିନ୍ତୁ ଦେଶର ଆଇନ ବ୍ୟବସ୍ଥା ଉପରେ ସେମାନଙ୍କର ଭରସା ରହିଛି। ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଭାରତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କୁ ଗିରଫ କରିବା ଲାଗି ଭିନେଶ ଫୋଗତ, ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆ ସମେତ ବହୁ କୁସ୍ତିଯୋଦ୍ଧା ଦାବିକରି ଆସୁଛନ୍ତି। ଗତ ମେ’ ୩୦ରେ ସେମାନେ ସମର୍ଥକମାନଙ୍କ ସହ ହରିଦ୍ୱାରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତୁରନ୍ତ ଦାବି ପୂରଣ ନ ହେଲେ ସେମାନେ ପବିତ୍ର ଗଙ୍ଗା ନଦୀରେ ସେମାନଙ୍କ ପଦକକୁ ବିସର୍ଜନ କରିଦେବେ ବେଲେି ଧମକ ଦେଇଥିଲେ। ସୂଚନାଯୋଗ୍ୟ, ଗତ ମେ’ ୨୮ରେ ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାମାନେ ନୂଆ ପାର୍ଲାମେଣ୍ଟ ଭବନ ଆଡକୁ ଅଗ୍ରସର ହେଉଥିବା ବେଳେ ଆଇନ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ପୋଲିସ ସେମାନଙ୍କୁ ଗିରଫ କରି ଅଟକ ରଖିଥିଲା। କେବଳ ସେତିକି ନୁହେଁ ପୋଲିସ ଯନ୍ତରମନ୍ତରସ୍ଥିତ କୁସ୍ତିଯୋଦ୍ଧାଙ୍କ ଧାରଣାସ୍ଥଳକୁ ଯାଇ ସେମାନଙ୍କ ଜନିଷପତ୍ରକୁ ହଟାଇ ଦେଇଥିଲା। କୁସ୍ତିଯୋଦ୍ଧାମାନଙ୍କୁ ଆଉ ଧାରଣାରେ ବସିବାକୁ ଦିଆଯିବ ନାହିଁ ବୋଲି ପୋଲିସ ପକ୍ଷରୁ ସୂଚାଇ ଦିଆଯାଇଥିଲା। କୁସ୍ତିଯୋଦ୍ଧାଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ବହୁ ବର୍ଷର କଠିନ ପରିଶ୍ରମ ଓ ଅଧ୍ୟବସାୟ ଯୋଗୁ ପଦକ ହାସଲ କରାଯାଇପାରିଛି। ଏହି ପଦକଗୁଡ଼ିକ କେବଳ ଆମର ବ୍ୟକ୍ତିଗତ ନୁହେଁ, ବରଂ ଦେଶ ପାଇଁ ଗର୍ବ ଓ ଖୁସିର ବିଷୟ ବୋଲି କୁହାଯାଇଛି। କପିଳ ଦେବଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ କ୍ଳାଇଭ୍‌ ଲୟଡଙ୍କ ନେତୃତ୍ୱାଧୀନ ଶକ୍ତିଶାଳୀ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରି ବିଶ୍ୱକପ୍‌ ଟ୍ରଫି ହାସଲ କରିଥିଲା। ଏହା ୧୯୮୩ ବିଶ୍ୱକପ୍‌ ବିଜୟୀ ଦଳର ସମସ୍ତ ସଦସ୍ୟଙ୍କ ମିଳିତ ବିବୃତି ବୋଲି କପିଳ କହିଛନ୍ତି।

Share