Categories: ଖେଳ

୧୯୯୨: ଇମ୍ରାନଙ୍କ ପାକିସ୍ତାନ ବିଶ୍ୱବିଜେତା

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ପଞ୍ଚମ ସଂସ୍କରଣରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା ପାକିସ୍ତାନ। ଇମ୍ରାନ୍‌ ଖାଁଙ୍କ ନେତୃତ୍ୱରେ ଦଳ ତୃତୀୟ ବିଶ୍ୱକପ ଖେଳୁଥିବା ବେଳେ ଇଂଲଣ୍ଡକୁ ହରାଇ ଦଳ ହାସଲ କରିଥିଲା ଏହାର ପ୍ରଥମ ଟାଇଟଲ। କ୍ରମାଗତ ଥର ପାଇଁ ଫାଇନାଲରେ ପହଞ୍ଚିଥିବା ଇଂଲଣ୍ଡକୁ ଆଉ ଥରେ ନିରାଶ ହେବାକୁ ପଡ଼ିଥିଲା। ବେନସନ୍‌ ଆଣ୍ଡ ହେଜେସ୍‌ ଏହି ବିଶ୍ୱକପର ପ୍ରାୟୋଜକ ରହିଥିଲେ। ୧୯୯୧ ପରିବର୍ତ୍ତେ ଏକ ବର୍ଷ ବିଳମ୍ବରେ ଏହି ବିଶ୍ୱକପ ଆୟୋଜିତ ହୋଇଥିଲା। ପ୍ରଥମ ଥର ପାଇଁ କଳା ଧଳା ପରିବର୍ତ୍ତେ ରଙ୍ଗିନ ପୋଷାକରେ ଦିନିକିଆ କ୍ରିକେଟ ଦେଖିବାକୁ ମିଳିଥିଲା। ୮ ପରିବର୍ତ୍ତେ ୯ ଦଳ ଅଂଶଗ୍ରହଣ କରିଥିବା ବେଳେ ସମୁଦାୟ ୩୯ ମ୍ୟାଚ୍‌ ଖେଳ ହୋଇଥିଲା। ଏହା ସହିତ ଏହି ବିଶ୍ୱକପ ଅନେକ କାରଣରୁ ସ୍ବତନ୍ତ୍ର ରହିଥିଲା। ରେନ୍‌ ରୁଲ୍‌ ପ୍ରଥମ ଥର ଲାଗୁ କରାଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ସେମି ଫାଇନାଲରେ ପରାଜିତ ହୋଇଥିଲା। ଏହା ସହିତ ସ୍ପିନ୍‌ ବୋଲରଙ୍କ ଜରିଆରେ ଓପନ କରିବା ଓ ପିଞ୍ଚ ହିଟରଙ୍କ ବ୍ୟବହାର ପ୍ରଥମ ଥର କରିଥିଲା ନ୍ୟୁଜିଲାଣ୍ଡ।
ପାକିସ୍ତାନ ଏହି ସଂସ୍କରଣରେ ବର୍ଷା କାରଣରୁ ସବୁଠାରୁ ଅଧିକ ଲାଭବାନ ହୋଇଥିଲା। ଦଳ ଇଂଲଣ୍ଡ ବିପକ୍ଷ ଲିଗ୍‌ ମ୍ୟାଚରେ ୭୪ ରନ୍‌ରେ ଅଲଆଉଟ ହୋଇଥିବା ବେଳେ ବର୍ଷା କାରଣରୁ ମ୍ୟାଚ୍‌ ଧୋଇଯିବା କାରଣରୁ ଦଳ ଏକ ପଏଣ୍ଟ ଅର୍ଜନ କରିଥିଲା। ଏହା ଫଳରେ ପାକିସ୍ତାନ ସେମି ଫାଇନାଲ ପ୍ରବେଶରେ ସମର୍ଥ ହୋଇଥିଲା। ଇମ୍ରାନ୍‌ ଖାନ୍‌ ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ କରି ବ୍ୟାଟ ଜରିଆରେ ୧୮୫ ରନ୍‌ ଓ ବୋଲିଂରେ ୭ ଉଇକେଟ ଅକ୍ତିଆର କରିଥିଲେ। ସେହିପରି ଓ୍ବାସିମ ଆକ୍ରମଙ୍କ ବ୍ୟତୀତ ମୁସ୍ତାକ ଅହମଦ ୧୬ ଓ ଆକ୍ୱିବ୍‌ ଜାଭେଦ୍‌ ୧୧ ଉଇକେଟ ନେଇଥିଲେ। ପ୍ରଥମ ସେମିରେ ଆୟୋଜକ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଥିଲା ପାକିସ୍ତାନ। ଦ୍ୱିତୀୟ ସେମି ଫାଇନାଲଟି କ୍ରିକେଟର ଅନ୍ୟତମ ବିବାଦୀୟ ମ୍ୟାଚ୍‌ ରହିଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚକୁ ଇଂଲଣ୍ଡ ୪ ଉଇକେଟରେ ଜିତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୫ ଓଭରରେ ୨୬୨ ରନ୍‌ କରିଥିଲା। ବର୍ଷା ହେବା ବେଳକୁ ଦକ୍ଷିଣ ଆଫ୍ରିକାକୁ ୧୩ ବଲରୁ ୨୨ ରନ୍‌ର ଆବଶ୍ୟକତା ରହିଥିଲା। ୨ ଓଭରର ଖେଳ ବନ୍ଦ ହେବା କାରଣରୁ ସଂଶୋଧିତ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ଆଗରେ ଗୋଟିଏ ବଲ୍‌ରେ ୨୨ ରନ୍‌ର ଲକ୍ଷ୍ୟ ରହିଥିଲା। ଫାଇନାଲ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ହୋଇଥିଲା। ଇମ୍ରାନ୍‌ ଖାଁ ଓ ଓ୍ବାସିମ୍‌ ଆକ୍ରମଙ୍କ ଅଲରାଉଣ୍ଡ ପ୍ରଦର୍ଶନରେ ବିଜୟୀ ହୋଇଥିଲା ପାକିସ୍ତାନ। ଆକ୍ରମ ଫାଇନାଲରେ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ହୋଇଥିଲେ।

Share