Categories: ଖେଳ

ମହିଳା ବିଚ୍‌ ଭଲିବଲ ଦଳକୁ ପ୍ରଥମ ପଦକ

ଭୁବନେଶ୍ୱର, ୧୦।୧୦ (କ୍ରୀଡ଼ା ପ୍ରତିନିଧି): ସୁରଟର ଡୁମାସ୍‌ ବିଚ୍‌ରେ ଅନୁଷ୍ଠିତ ୩୬ତମ ଜାତୀୟ କ୍ରୀଡ଼ା ବିଚ୍‌ ଭଲିବଲ୍‌ (ପୁରୁଷ ଏବଂ ମହିଳା) ଇଭେଣ୍ଟରେ ଓଡ଼ିଶା ମହିଳା ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଓଡ଼ିଶା ଭଲିବଲ ଇତିହାସରେ ପ୍ରଥମଥର ପାଇଁ ମହିଳା ଦଳକୁ ଜାତୀୟ କ୍ରୀଡ଼ାରେ ପଦକ ମିଳିଛି। ଓଡ଼ିଶା ଦଳ ତେଲଙ୍ଗାନାକୁ ୨-୦ (୨୧-୧୯ ଏବଂ ୨୨-୨୦), କେରଳକୁ ୨-୦ (୨୧-୧୬ ଏବଂ ୨୧-୧୧) ସେଟ୍‌ରେ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଥିଲା। କ୍ୱାର୍ଟରରେ ପୁଡୁଚେରୀ-୨କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା। ସେମିଫାଇନାଲରେ ଏକଦା ଅଗ୍ରଣୀ ରହିଥିଲେ ହେଁ ପ୍ରତିକୂଳ ପାଗ ସହ ଖାପ ଖୁଆଇ ନ ପାରି ପୁଡୁଚେରୀ-୧ ନିକଟରୁ ହାରି ଯାଇଥିଲା। ଏହାପରେ ଏକପାଖିଆ ମ୍ୟାଚରେ ତେଲଙ୍ଗାନାକୁ ୨-୦ ରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି। ଓଡ଼ିଶା ମହିଳା ଦଳରେ ଶିବାନୀ ପ୍ରିୟଦର୍ଶିନୀ ଏବଂ ମୋନାଲିସା ପାତ୍ର ରହିଥିବା ବେଳେ କୋଚ୍‌ ଅଛନ୍ତି ସୁଧାଂଶୁ ଭୂଷଣ ମିଶ୍ର। ଏହି ସଫଳତା ପାଇଁ ଓଡ଼ିଶା ଦଳକୁ ଭାରତୀୟ ଭଲିବଲ ସଂଘର ସଭାପତି ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।

Share