ପହିଲାରୁ ଯୁକ୍ତ୨ ପାଠପଢ଼ା

ଭୁବନେଶ୍ୱର,୩୧।୭(ଅନୁରାଧା ମହାରଣା):ଅଗଷ୍ଟ ପହିଲାରୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ। ୨୦୨୩-୨୪ ଶିକ୍ଷାବର୍ଷରେ ନାମ ଲେଖାଇଥିବା ପିଲାଙ୍କ ପାଇଁ ପ୍ରତି ବିଦ୍ୟାଳୟରେ ପ୍ରବେଶ ଉତ୍ସବର ଆୟୋଜନ କରାଯିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର୍‌ ଆୟାର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖିଛନ୍ତି। ଏହି ପ୍ରବେଶ ଉତ୍ସବରେ ପିଲାଙ୍କ ପାଇଁ କେଉଁସବୁ କାର୍ଯ୍ୟକ୍ରମର ଆୟୋଜନ କରାଯିବ ସେନେଇ ବିସ୍ତୃତ ଭାବେ ଉଲ୍ଲେଖ ରହିଛି। ନୂଆ କରି ଶିକ୍ଷାନୁଷ୍ଠାନକୁ ଆସିଥିବା ପିଲାଙ୍କୁ ସ୍ବାଗତ କରିବା ପାଇଁ ସୁସଜ୍ଜିତ ହଲ୍‌ରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଆବଶ୍ୟକ ସ୍ଥଳେ ବିଭାଗ ଅନୁସାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିରେ ପିଲାଙ୍କୁ ଶିକ୍ଷାନୁଷ୍ଠାନର ଇତିହାସ, କାର୍ଯ୍ୟକଳାପ ଓ ନିୟମ ବିଷୟରେ ସୂଚିତ କରାଯିବ। ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷୟିତ୍ରୀଶିକ୍ଷକ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିବେ। ଛାତ୍ର ଜୀବନରେ ଉଚ୍ଚ ମାଧ୍ୟମିକ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ପିଲାଙ୍କୁ ଅବଗତ କରାଯିବା ସହ ଶିକ୍ଷାନୁଷ୍ଠାନର ଶ୍ରେଣୀଗୃହ, ପରୀକ୍ଷାଗାର, ପାଠଗାର ସମ୍ପର୍କରେ ପିଲାମାନେ ଜାଣିବାକୁ ପାଇବେ। ସେହିପରି ପିଲାଙ୍କ ୟୁନିଫର୍ମ ଓ ପରିଚୟ ପତ୍ର ଉପରେ ମଧ୍ୟ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ଅଗଷ୍ଟ ୧୪ ସୁଦ୍ଧା ଛାତ୍ରୀଛାତ୍ର ୟୁନିଫର୍ମ ପିନ୍ଧି କ୍ଲାସ କରିବେ। ତେବେ ସ୍ଥାୟୀ ପରିଚୟପତ୍ର ମିଳି ନ ଥିଲେ ଅସ୍ଥାୟୀ ପରିଚୟପତ୍ର ପ୍ରଦାନ କରିବେ ବିଦ୍ୟାଳୟ କର୍ତ୍ତୃପକ୍ଷ। ନିୟମିତ ଅଭିଭାବକ-ଶିକ୍ଷକ ବୈଠକ ଆୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କ୍ୟାରିଅର ପୋର୍ଟାଲ ସମ୍ପର୍କିତ ତଥ୍ୟ ପିଲାମାନେ ଶିକ୍ଷା ଆରମ୍ଭରୁ ଜାଣି ରଖିବା ପାଇଁ କୁହାଯାଇଛି। http://odishacareerportal.comରେ ଉପଲବ୍ଧ ପ୍ରାୟ ୫୫୦ କ୍ୟାରିଅର ଅପଶନ୍‌ ସମ୍ପର୍କରେ ସୂଚନା ପାଇପାରିବେ ଛାତ୍ରୀଛାତ୍ର। ପିଲାମାନେ ଶିକ୍ଷାନୁଷ୍ଠାନର ପ୍ରୋକ୍ଟୋରଙ୍କ ସହ ମଧ୍ୟ ପରିଚିତ ହେବେ। ପ୍ରୋକ୍ଟୋର ବିଦ୍ୟାର୍ଥୀଙ୍କୁ ସେମାନଙ୍କ ପାଠ୍ୟ ବିଷୟ, ବିଭାଗ, ଦଳ ଓ ସମୟ ସାରଣୀ ବିଷୟରେ ମାର୍ଗଦର୍ଶନ ଦେବେ।

Share