ପୁଣେ,୧୦।୧୧: ସହରାଞ୍ଚଳରେ ମୋଟ ୨.୪୯ ଲକ୍ଷ ଶତାୟୁ ଭୋଟର ରହିଥିବା ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ରାଜୀବ କୁମାର କହିଛନ୍ତି। ଭୋଟର ତାଲିକା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ନେଇ ବୁଧବାର ମହାରାଷ୍ଟ୍ର ପୁଣେରେ ଆୟୋଜିତ ବାଇସାଇକେଲ ରାଲିରେ ଯୋଗଦେବା ଅବସରରେ ରାଜୀବ କୁମାର ଏହି ସୂଚନା ଦେଇଛନ୍ତି। ସହରାଞ୍ଚଳରେ ଭୋଟର ତାଲିକା ବୃଦ୍ଧି କରିବା ଦିଗରେ ସିଇସି କାର୍ଯ୍ୟ କରୁଛନ୍ତି।
ଦେଶରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ୧.୮୦ କୋଟି ଭୋଟର ଥିବାବେଳେ ହିମାଳୟରେ ସର୍ବାଧିକ ବୟସ୍କ ଭୋଟର ଥିବା ରାଜୀବ କୁମାର କହିଛନ୍ତି। ରାଲିକୁ ସମ୍ବୋଧନବେଳେ ରାଜୀବ କୁମାର ଦେଶର ପ୍ରଥମ ଭୋଟର ଶ୍ୟାମ ସରଣ ନେଗିଙ୍କ କଥା କହିଥିଲେ। କୋଣଅନୁକୋଣରେ ଥିବା ପ୍ରତ୍ୟେକ ବ୍ୟକ୍ତି ଦେଶର ଜଣେ ଜଣେ ନାଗରିକ। ସେମାନେ ନିଜ ନାମ ପଞ୍ଜୀକରଣ କରି ମତଦନ କରିବା ଜରୁରୀ। ଭୋଟ ଜରିଆରେ ହିଁ ଦେଶରେ ଗଣତନ୍ତ୍ର ମଜଭୁତ ହୋଇ ପାରିବ ବୋଲି ସେ ପ୍ରକାଶ କରିଛନ୍ତି।