Categories: ଖେଳ

ଯୋଡ଼ିହେବେ ୨.୫ କୋଟି ପିଲା

ଢେଙ୍କାନାଳ ଅଫିସ,୪।୧୧: ଏବେକାର ପିଲା ଇଣ୍ଟରନେଟ୍‌ ଓ ଟେଲିଭିଜନ ମଧ୍ୟରେ ଅଟକିଯାଉଛନ୍ତି। ସେମାନଙ୍କୁ ପଡ଼ିଆକୁ ଆଣିବା ଏବଂ ବିଭିନ୍ନ ଖେଳରେ ସାମିଲ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଫୁଟ୍‌ବଲ ଖେଳକୁ ପ୍ରୋତ୍ସାହିତ କରିବା ଲାଗି ସାରା ଦେଶରେ ୧୦ ଲକ୍ଷ ବଲ୍‌ ବଣ୍ଟାଯିବ। ଏହା ମାଧ୍ୟମରେ ୨.୫ କୋଟି ଛାତ୍ରୀଛାତ୍ର ଯୋଡ଼ିହେବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଢେଙ୍କାନାଳ ଷ୍ଟାଡିୟମ୍‌ରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ପ୍ରଥମ ବାଜି ରାଉତ କପ୍‌ ଜାତୀୟ ଫୁଟବଲ ଟୁର୍ନାମେଣ୍ଟକୁ ଉଦ୍‌ଘାଟନ କରି ସେ ଏହି ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଲେ, ଜବାହର ନବୋଦୟ ବିଦ୍ୟାଳୟ ମାଧ୍ୟମରେ ଦେଶର ସବୁ ଜିଲାର ସରକାରୀ ଓ ବେସରକାରୀ ସ୍କୁଲକୁ ଫୁଟ୍‌ବଲ ବଣ୍ଟନ କରାଯିବ। ଆଗାମୀ ଦିନରେ ମହିଳା ଓ ପୁରୁଷଙ୍କୁ ନେଇ ବିଶ୍ୱବିଦ୍ୟାଳୟସ୍ତରୀୟ ଫୁଟ୍‌ବଲ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଯୋଜନା ଚାଲିଛି। ଏହି ଖେଳରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ। ଅନ୍ତର୍ଜାତୀୟ ଫୁଟ୍‌ବଲ ମହାସଂଘ (ଫିଫା), ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍‌ଏଫ୍‌) ସହଯୋଗରେ ‘ଫୁଟବଲ୍‌ ଫର୍‌ ସ୍କୁଲ’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଖେଲୋ ଇଣ୍ଡିଆ ଅଭିଯାନ, ଫିଟ୍‌ ଇଣ୍ଡିଆ ମାଧ୍ୟମରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦିଆଯାଉଛି। ଯୁବତୀଯୁବକମାନେ ଫୁଟ୍‌ବଲ, କ୍ରିକେଟ, ଆଥ୍‌ଲେଟିକ୍ସ, ହକି, ଭଲିବଲ୍‌, ରଗ୍‌ବୀ, କବାଡ଼ି, ଖୋଖୋ ଭଳି କ୍ରୀଡ଼ାରେ ଭାଗନେବାକୁ ପଡ଼ିଆକୁ ଓହ୍ଲାନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ସ୍ମୃତିରେ ଏହି ଜାତୀୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ କରାଯାଉଛି ବୋଲି ଧର୍ମେନ୍ଦ୍ର ସୂଚନା ଦେଇଥିଲେ। ଏଥିସହ ଶହୀଦ ବାଜିଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
କାର୍ଯ୍ୟକ୍ରମରେ ଏମ୍‌ପି ମହେଶ ସାହୁ, ଏଆଇଏଫ୍‌ଏଫ୍‌ ସଭାପତି କଲ୍ୟାଣ ଚୌବେ, ଜିଲାପାଳ ସରୋଜ କୁମାର ସେଠୀ, ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, ଅଞ୍ଜଳି ବେହେରା, ପୂର୍ବତନ ରାଜ୍ୟ ସଭା ସଦସ୍ୟ ରୁଦ୍ରନାରାୟଣ ପାଣି, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ଜିଲା କ୍ରୀଡ଼ା ସଂଘ ସମ୍ପାଦକ ନଳିନୀ କୁମାର ଦାସ, ଫୁଟବଲ ଅକାସୋସିଏଶନ ଯୁଗ୍ମ ସମ୍ପାଦକ ଅଭିଜିତ ପାଲ୍‌ ପ୍ରମୁଖ ଯୋଗ ଦେଇଥିଲେ। ନରେଶ ଚନ୍ଦ୍ର ମହାପାତ୍ର, ସୁନୀଲ ଶର୍ମା, ରାମଚନ୍ଦ୍ର ପାତ୍ର, ମହିମା ଯଶୋବନ୍ତ, ବିଷ୍ଣୁ ପ୍ରସାଦ ଲେଙ୍କା, ନବକିଶୋର ଗୁରୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Share