ଟିକା ନେଇଥିବା ୨.୬ ଲକ୍ଷ ସଂକ୍ରମିତ

ନୂଆଦିଲ୍ଲୀ, ୧୪।୮: ଦେଶରେ ବର୍ତ୍ତମାନ ସୁଦ୍ଧା ୫୩.୧୪ କୋଟି ଭାକ୍ସିନ ଡୋଜ୍‌ ଦିଆଗଲାଣି। ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୨.୬ ଲକ୍ଷ ପୁନର୍ବାର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେବେ ଏହି ସଂଖ୍ୟା ମୋଟ ଟିକାକରଣର ୦.୦୫ ପ୍ରତିଶତରୁ କମ୍‌ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସଂକ୍ରମିତଙ୍କ ମଧ୍ୟରୁ ୧,୭୧,୫୧୧ ଜଣ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି। ଅନ୍ୟପକ୍ଷରେ ଦୁଇଟି ଡୋଜ୍‌ ନେଇଥିବା ୮୭,୦୪୯ ଜଣ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଟିକା ନେବା ପରେ ସଂକ୍ରମଣ ହାର ଯଥେଷ୍ଟ କମ୍‌ ହେଲେ ମଧ୍ୟ ଏହା ସରକାର ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଭାରତ ତଥା ବିଦେଶରେ ଭୂତାଣୁର ଅଧିକ ସଂକ୍ରମକ ଭାରିଆଣ୍ଟ ବ୍ୟାପୁଥିବା ଏଥିରୁ ସ୍ପଷ୍ଟ ହେଉଛି। ଟିକା ନେବା ପରେ ଲୋକେ କେଉଁ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହେଉଛନ୍ତି ତାହା ଜାଣିବା ପାଇଁ ବିଭିନ୍ନ ରାଜ୍ୟର ବ୍ୟକ୍ତିଙ୍କଠାରୁ ନମୁନା ସଂଗ୍ରହ କରାଯାଇ ଜିନୋମ ସିକ୍ୱେନ୍ସ୍‌ିଂ ପାଇଁ ପଠାଯାଉଛି। କେବଳ କେରଳରେ ୪୦ ହଜାରରୁ ଊର୍ଦ୍ଧ୍ୱ ଟିକା ନେବା ପରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Share