ବିନା ଟେଣ୍ଡରରେ ଚାଲିଛି ୨.୬୮ କୋଟିର କାର୍ଯ୍ୟ

ଚାନ୍ଦବାଲି, ୧୨।୯ (କିଶାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆମ ଡାକ୍ତରଖାନା ଯୋଜନାରେ ଆରମ୍ଭ ହୋଇଛି ବିକାଶମୂଳକ କାର୍ଯ୍ୟ। ୨ କୋଟି ୭୪ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଡାକ୍ତରଖାନା ପରିସରରେ ସୌନ୍ଦର୍ଯ୍ୟକରଣ ଓ ରୋଗୀମାନଙ୍କ ବିଭିନ୍ନ ସୁବିଧା ଉପଲବ୍ଧ ପାଇଁ ମାତ୍ର ୫ ବର୍ଷ ତଳେ ନିର୍ମାଣ ହୋଇଥିବା ବ୍ୟବହାର ଉପଯୋଗୀ ଗୃହ ଭାଙ୍ଗି ଦିଆଯିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଗୃହ ଭଙ୍ଗା କାର୍ଯ୍ୟକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗତ ସପ୍ତାହରେ ମେଡିକାଲ ପରିଦର୍ଶନରେ ଆସିଥିବା ଜିଲାପାଳଙ୍କୁ ସ୍ଥାନୀୟ ପାରିଷଦ ଚନ୍ଦନ ରାଉତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭେଟି ବ୍ୟବହାର ଉପଯୋଗୀ ଗୃହକୁ ନ ଭାଙ୍ଗି ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ପାଇଁ ଦାବି ଜଣାଇଥିଲେ। ଡାକ୍ତରଖାନା ଆଗରେ ଗାଡ଼ି ପାର୍କିଂକୁ ଦୃଷ୍ଟିରେ ରଖି ଗୃହଗୁଡ଼ିକୁ ଭଙ୍ଗା ଯାଉଥିବା ମେଡିକାଲ ଅଧିକାରୀ କହୁଥିବା ବେଳେ ଦଳୀୟ କର୍ମୀଙ୍କୁ ଠିକାଦାରୀ ଦେବା ପାଇଁ ଯୋଜନା ଚାଲିଛି ବୋଲି ଭାଜପା ଅଭିଯୋଗ କରିଛି। ସୌନ୍ଦର୍ଯ୍ୟକରଣ ଆଳରେ ସରକାରୀ ଅର୍ଥକୁ ଦୁରୁପଯୋଗ କରାଯାଉଥିବା ଅଭିଯୋଗ ହୋଇଛି।
ଡାକ୍ତରଖାନା ପରିସରରେ ୪ ମହଲା ବିଶିଷ୍ଟ ନୂତନ ଗୃହ ନିର୍ମାଣ ସରିଛି ଏବଂ ତାହା ଉପରେ ପୁଣି ଦୁଇ ମହଲା କାର୍ଯ୍ୟ ଆରମ୍ଭ ହୋଇଛି। ୪ ମହଲା ବିଶିଷ୍ଟ ମେଡିକାଲ ଗୃହକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ହେଲେ ସେଥିରେ ଅଧିକାଂଶ କାମ ବାକି ରଖି ଠିକା ସଂସ୍ଥା କାମ ଛାଡ଼ି ଦେଇ ହସ୍ତାନ୍ତର କରିଦେଇଛି। କାର୍ଯ୍ୟ ଶେଷ ହୋଇ ନ ଥିବାବେଳେ ଆର୍‌ ଆଣ୍ଡ୍‌ ବି ବିଭାଗ ଏନ୍‌ଓସି କିପରି ପ୍ରଦାନ କଲା ସେନେଇ ପ୍ରଶ୍ନ ଉଠିଛି। ସୂଚନା ଅଧିକାର ତଥ୍ୟ ଅନୁସାରେ, ଚାନ୍ଦବାଲି ସ୍ବାସ୍ଥ୍ୟକେନ୍ଦ୍ରରେ ଏବେ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୨ କୋଟି ୭୪ ପରେ ପୁଣି ଦୁଇଟି ପର୍ଯ୍ୟାୟରେ ୯ କୋଟି ୧୦ ଲକ୍ଷ ମଞ୍ଜୁର କରାଯାଇଛି। ଟେଣ୍ଡର ମାଧ୍ୟମରେ ୪ ମହଲା କାର୍ଯ୍ୟ ଶେଷ ହୋଇଥିବା ବେଳେ ଏବେ ବିନା ଟେଣ୍ଡରରେ ୨ କୋଟି ୬୮ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବିଭାଗୀୟ ଦର୍ଶାଇ ୩ଜଣ ଛାମୁଆ ବିଜେଡି ନେତାଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ କାର୍ଯ୍ୟାଦେଶ ଟେଣ୍ଡର ମାଧ୍ୟମରେ ନିୟମ ଥିବାବେଳେ ବିନା ଟେଣ୍ଡରରେ କୋଟି କୋଟି ଟଙ୍କାର କାର୍ଯ୍ୟାଦେଶକୁ ବିଭାଗୀୟ ଦର୍ଶାଇ କିପରି ଶାସକ ଦଳର କର୍ମୀଙ୍କୁ ବଣ୍ଟନ କରାଗଲା, ସେନେଇ ତଦନ୍ତ କରାଯାଉ ବୋଲି ଦାବି ହେଉଛି। ଅଭିଯୋଗ ସମ୍ପର୍କରେ ବିଡିଓ ଜ୍ୟୋତିବିକାଶ ଦାସଙ୍କୁ ପଚାରିବାରୁ ନୂତନ ଗୃହ ନିର୍ମାଣ ଲାଗି ଉକ୍ତ ଗୃହ ଭଙ୍ଗାଯାଇଥିବା କହିଛନ୍ତି।