ମୁମ୍ବାଇ,୩୦।୮: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍) ଆସନ୍ତା ବର୍ଷ ମଧ୍ୟରେ ତା’ର ବ୍ୟବସାୟିକ ସାମ୍ରାଜ୍ୟକୁ ସମ୍ପ୍ରସାରଣ କରିବା ଲାଗି ମୋଟ ୨.୭୫ ଲକ୍ଷ କୋଟି ଟଙ୍କା ନିବେଶ କରିବ। ସୋମବାର କମ୍ପାନୀର ୪୫ତମ ବାର୍ଷିକ ସାଧାରଣ ବୈଠକ(ଏଜିଏମ୍)କୁ ସମ୍ବୋଧିତ କରି ଆର୍ଆଇଏଲ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହା କହିଛନ୍ତି। ଏପରିକି ଚଳିତ ବର୍ଷ ଅକ୍ଟୋବର (ଦୀପାବଳି)ରୁ ୫-ଜି ସେବା ଆରମ୍ଭ ସାଙ୍ଗକୁ କମ୍ପାନୀର ମୂଳତଃ ତୈଳ ଏବଂ ରାସାୟନିକ ବ୍ୟବସାୟର କ୍ଷମତା ବୃଦ୍ଧି ସାଙ୍ଗକୁ ଏଫ୍ଏମ୍ସିଜି କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସେହିଭଳି ୫-ଜି ନେଟ୍ୱର୍କ ବିକଶିତ କରିବା ଲାଗି କମ୍ପାନୀ ମୋଟ ୨ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ପ୍ରତିବଦ୍ଧ ରହିଛି। ତା’ ସାଙ୍ଗକୁ କମ୍ପାନୀର ମୂଳ ପେଟ୍ରୋକେମିକାଲ୍ ଏବଂ ତୈଳ ବ୍ୟବସାୟରେ ଦକ୍ଷତା ବୃଦ୍ଧି ପାଇଁ ରିଲାଏନ୍ସ ୭୫,୦୦୦ କୋଟି ଟଙ୍କା ବିନିଯୋଗ କରିବ ବୋଲି ଅମ୍ବାନୀ ମତବ୍ୟକ୍ତ କରିଛନ୍ତି।