ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ଆରମ୍ଭ

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ସୋମବାରଠାରୁ ରାଜ୍ୟରେ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। କୋଭିଡ୍‌ ନିୟମ ପାଳନ କରାଯାଇ ଏହି ନାମଲେଖା ଆରମ୍ଭ ହୋଇଛି। ପ୍ରତି ଘଣ୍ଟାରେ ୧୫ ଜଣ ଛାତ୍ରୀଛାତ୍ର ନାମ ଲେଖାଇ ପାରିବେ। ସକାଳ ୯ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ନାମଲେଖା ପ୍ରକ୍ରିୟା ଚାଲୁରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।
ଛାତ୍ରୀଛାତ୍ର ନାମ ଲେଖାଇବା ପରେ ଅନ୍‌ଲାଇନ୍‌ରେ ସାମ୍ସ ଓ୍ବେବ୍‌ସାଇଟ୍‌ ଲଗ ଇନ କରି ସ୍ଲାଇଡ ଅପ୍‌ ପାଇଁ ଆବେଦନ କରିବେ। ଅନ୍ୟପକ୍ଷରେ ନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କ ସହ ଜଣେ ଅଭିଭାବକ ଯାଇପାରିବେ। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ନାମଲେଖା ପ୍ରକ୍ରିୟା ଚାଲୁ ରହିବ। କଲେଜ କ୍ୟାମ୍ପସଗୁଡ଼ିକର ପ୍ରବେଶ ପଥରେ ପାଣି, ସାନିଟାଇଜର, ହ୍ୟାଣ୍ଡଓ୍ବାଶ୍‌ ଏବଂ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ବାଧ୍ୟତାମୂଳକ ରହିଛି। ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।
୨୦୨୦-୨୧ ଶିକ୍ଷାବର୍ଷରେ ରାଜ୍ୟର ୨ ହଜାର ୨୮ଟି କଲେଜର ୪ ଲକ୍ଷ ୫୩ ହଜାର ୬୪୩ ସିଟ୍‌ରେ ନାମଲେଖା ହେଉଛି। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୪୦ ହଜାର ୫୮୬ ସିଟ୍‌ ରହିଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୪୫ ହଜାର ୯୯୮, ବାଣିଜ୍ୟରେ ୪୪ ହଜାର ୩୨୩, ସଂସ୍କୃତରେ ୧୧ ହଜାର ୭୧୨ ଓ ଧନ୍ଦାମୂଳକ ବିଭାଗର ୧୧ ହଜାର ୨୪ ସିଟ୍‌ରେ ନାମଲେଖା କରାଯିବ। ଅକ୍ଟୋବର ୩ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ସହ ଯୋଗ୍ୟ ଛାତ୍ରୀଛାତ୍ରଙ୍କ ନାମଲେଖା ୫ରୁ ୭ ତାରିଖ ମଧ୍ୟରେ ହେବ। ୧୫ ତାରିଖରେ ସ୍ପଟ୍‌ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୬ରେ ସ୍ପଟ୍‌ ନାମଲେଖା କରାଯିବ। ଅକ୍ଟୋବର ୧୭ ସୁଦ୍ଧା ଏହି ନାମଲେଖା ପ୍ରକ୍ରିୟା ଷେଶ ହେବ।

Share