ପ୍ରକାଶ ପାଇଲା ଯୁକ୍ତଦୁଇ କଳା, ଧନ୍ଦାମୂଳକ ରେଜଲ୍ଟ

ଭୁବନେଶ୍ୱର,୮ା୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୁରୁବାର ଯୁକ୍ତଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆଜି ଅପରାହ୍ନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସଚିବ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି।  www.orissaresults.nic.inରେ ଛାତ୍ରୀଛାତ୍ର ସେମାନଙ୍କ ରେଜଲ୍ଟ ଜାଣିପାରିବେ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୩୦ ହଜାର ୫୪୫ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ଏଥିମଧ୍ୟରୁ ୧ ଲକ୍ଷ ୮୧ ହଜାର ୮୬୯ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। କଳାରେ ପାସ୍‌ ହାର ୭୮.୮୮ ପ୍ରତିଶତ ରହିଛି।

ସେହିପରି ଧନ୍ଦାମୂଳକ ପରୀକ୍ଷାରେ ୫୦୦୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୩ ହଜାର ୮୬୦ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ ହାର୍‌ ୬୭.୪୮ ରହିଛି। କଳା ପାସ ହାର୍‌ରେ ପୁଣି ଥରେ ଛାତ୍ରୀମାନେ ଛାତ୍ରଙ୍କୁ ପଛରେ ପକାଇଛନ୍ତି। ଛାତ୍ରୀଙ୍କ ପାସ୍‌ ହାର ୮୫.୬୬ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ୍‌ ହାର ୭୦.୪୩ ପ୍ରତିଶତ ରହିଛି। ସେହିପରି ଧନ୍ଦାମୂଳକ ଶିକ୍ଷାରେ ଛାତ୍ରୀଙ୍କ ପାସ୍‌ ହାର ୭୧.୧୦ ରହିଥିବା ବେଳେ ଛାତ୍ରଙ୍କ ପାସ୍‌ ହାର ୬୪.୨୩ ପ୍ରତିଶତ ରହିଛି। ବାଲେଶ୍ବର ଜିଲାରେ ସର୍ବାଧିକ ୮୪.୯୭ ପ୍ରତିଶତ ପିଲା ପାସ୍‌ କରିଛନ୍ତି।

 

 

Share