ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା: ୨ ଗିରଫ

କଟକ ଅଫିସ,୨୦।୪: କଟକ ଏସ୍‌ସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟର ଶେଖ୍‌ ହାଇଦର ଫେରାର ମାମଲାରେ ମଙ୍ଗଳାବାଗ ଥାନା ପୋଲିସ ମଙ୍ଗଳବାର ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କନଷ୍ଟେବଳ ମହମ୍ମଦ ମୌସିମ, ସମ୍ବଲପୁର ଜେଲର ଜଣେ ଓ୍ବାର୍ଡର। ତେବେ ମୌସିମ ହାଇଦର ଫେରାର ହେବା ଦିନ ଡ୍ୟୁଟିରେ ଥିଲେ। ପୂର୍ବରୁ ତାଙ୍କ ସହ ଅନ୍ୟ ୬ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା।

ପ୍ରକାଶ ଯେ, ହାଇଦର ଓଡ଼ିଶାରୁ ଫେରାର ହୋଇ ତେଲେଙ୍ଗାନା ପଳାଇଥିଲେ। ବାଦାମବାଡ଼ି ଆଇଆଇସି ରଶ୍ମୀରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ଟିମ୍‌ ତେଲେଙ୍ଗାନା ଓ ହାଇଦ୍ରାବାଦ ପୋଲିସ ଟିମ୍‌ର ସହାୟତାରେ ତାଙ୍କୁ ଗିରଫ କରିଥିଲା। ପରେ ହାଇଦରଙ୍କୁ ବିମାନରେ ଭୁବନେଶ୍ୱର ଅଣାଯାଇଥିଲା। ତେବେ ତାଙ୍କର ଫେରାର ହେବା ପଛରେ ସମ୍ପୃକ୍ତି ଥିବା ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଞ୍ଚଳର ଅର୍ଚ୍ଚନା ପରିଡ଼ା, କେନ୍ଦ୍ରାପଡ଼ା ଅଞ୍ଚଳର ଶେଖ ରେସୁଦ୍ଦିନ୍‌ ଓ ମାଲଗୋଦାମ ଥାନା ଅନ୍ତର୍ଗତ ଯୋବ୍ରା ଟିଣପିଟା ସାହିର ଶେଖ ଇମ୍ରାନଙ୍କୁ ଶନିବାର ମଙ୍ଗଳବାଗ ପୋଲିସ ଗିରଫ କରିଥିଲା।

Share