ସୁନା ଅଳଙ୍କାର ଠକେଇ ମାମଲାରେ ୨ ଗିରଫ

ଆସିକା,୩ା୩ (ଡି.ଏନ.ଏ.): ଆସିକା ବିନାୟକ ବଜାରଠାରେ ଥିବା ଏକ ଦୋକାନର ମାଲିକଙ୍କଠାରୁ ବିକ୍ରି କରିବା ଲାଗି କହି ୨ ଅଭିଯୁକ୍ତ ଅଳଙ୍କାର ନେଇ ଫେରାର ହୋଇଥିଲେ। ପୋଲିସ ଶୁକ୍ରବାର ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ରାଜୁ ରେଡ୍ଡୀ ଓରଫ ବାଲରାଜୁ ରେଡ୍ଡୀ ଏବଂ ପୁରୁଷୋମପୁରର ଦୀପୁ ଆଚାରୀ। ଅଭିଯୁକ୍ତଙ୍କ ନିକଟରୁ ପୋଲିସ ନଗଦ ୨ ଲକ୍ଷ ଟଙ୍କା ଓ ୨୮୦ ଗ୍ରାମ ସୁନା ଅଳଙ୍କାର ଜବତ କରିଛି।
ପ୍ରକାଶ ଯେ, ଏକ ଛୋଟ ଦୋକାନ କରି ସୁନା ରୂପା କାରବାର କରୁଥିବା ବାଲରାଜୁ ବିନାୟକ ବଜାରଠାରେ ଥିବା ସୁନା ଦୋକାନରୁ ଜାନୁଆରୀ ୯ ତାରିଖରେ ତାଙ୍କ ଦୋକାନରେ ଆସିଥିବା ଗ୍ରାହକଙ୍କୁ ସୁନା ରୂପା ବିକିବା କହି ୩୫୦ ଗ୍ରାମ ଓଜନର ବିଭିନ୍ନ ସୁନା ଅଳଙ୍କାର ନେଇଥିଲେ। ତେବେ ଦୀର୍ଘଦିନ ଧରି ସୁନା ଅଳଙ୍କାର ଫେରାଇ ନ ଥିବା କିମ୍ବା ଏହାର ମୂଲ୍ୟ ଦୋକାନୀ ମାଲିକଙ୍କୁ ନଦେବାରୁ ଦୋକାନ ମାଲିକ ସୁଧାକର ପାତ୍ର ଗତ ୨୩ରେ ଆସିକା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପକ୍ଷରୁ ଏହି ଅଭିଯୋଗକୁ ଭିତ୍ତି କରି ଆସିକା ଥାନାରେ ନଂ.୧୩୬/୨୩ରେ ଏକ ମାମଲା ରୁଜୁ କରାଯାଇଥିଲା। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କଠାରୁ ସୁନା ଅଳଙ୍କାର କିଣିଥିବା ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି।

Share