କୋଲକାତାରୁ ମ୍ୟାନେଜରଙ୍କ ସମେତ ୨ ଗିରଫ

ବ୍ରହ୍ମପୁର ଅଫିସ,୭ା୩: ସୁନା ଦୋକାନରୁ ୩୦ ଲକ୍ଷର ସୁନା ଗହଣା ଚୋରି ଘଟଣାର ମାଷ୍ଟରମାଇଣ୍ଡ ସର୍ଜଲ ମଲିକ ଓ ଅନ୍ୟ ଜଣେ କର୍ମଚାରୀ କୌଶିକ ପାଙ୍ଗଙ୍କୁ ବଡବଜାର ପୋଲିସ କୋଲକାତାରୁ ଧରି ସେମାନଙ୍କଠାରୁ ସମସ୍ତ ସୁନା ଗହଣା ଜବତ କରିଛି। ପୋଲିସ କୋଲକାତା ଦାସପୁର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟ ଉଭୟଙ୍କୁ ହାଜର କରି ତିନିଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ବ୍ରହ୍ମପୁର ଆଣିଛି। ଉଭୟଙ୍କୁ ସୋମବାର ଏସ୍‌ଡ଼ିଜେଏମ୍‌ ଦାୟିତ୍ୱରେ ଥିବା ଟ୍ରାନ୍ସପୋର୍ଟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରିଥିଲା। ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପ୍ରକାଶ ଯେ, କୋଲକାତାର ନୂର ଆଲମ ମଲ୍ଲିକ ବ୍ରହ୍ମପୁର ସାନବଜାର ଛକରେ ଏକ ସୁନା ଦୋକାନ କରି ବ୍ୟବସାୟ କରୁଛନ୍ତି। ଫେବୃୟାରୀ ୧୪ ସକାଳେ ସେ ଦୋକାନ ଖୋଲିବା ପାଇଁ ଯାଇଥିଲେ। ହେଲେ ଗ୍ରୀଲ ତାଲା ଭଙ୍ଗା ଯାଇଥିବା ସେ ଦେଖିବାକୁ ପାଇଥିଲେ। ସେଠାରେ ଥିବା ପୁରୁଣା ସୁନା ୨୮୫ ଗ୍ରାମ, ଚେକି ସୁନା ୩୮୦ ଗ୍ରାମ, ରୁପା ଦୁଇ କେଜି ଚୋରି ହୋଇଥିବା ଜାଣି ଥାନାରେ ଅଭିଯୋଗ କରିଥିଲେ ।

Share