ଆସିକା,୬ା୧(ଡି.ଏନ.ଏ.): ଜଣେ କଲେଜ ଛାତ୍ରୀଙ୍କୁ ପିଛା କରିବା, କଲେଜ ଫାଟକ ନିକଟରେ ଟଣାଓଟରା ସହ ଧମକ ଦେବା ଅଭିଯୋଗରେ ପୋଲିସ ଶୁକ୍ରବାର ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କେ.ଲଛମନପଲ୍ଲୀ ଗ୍ରାମର ଦେବାଶିଷ ସ୍ବାଇଁ ଓ କୈଳାସ ସ୍ବାଇଁ। ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଗତ ମଙ୍ଗଳବାର ଛାତ୍ରୀ ଜଣକ ଘରକୁ ଫେରୁଥିବା ବେଳେ କଲେଜ ଫାଟକ ବାହାରେ ୪ଜଣ ଯୁବକ ତାଙ୍କୁ ନାମ ପଚାରି ବିଭିନ୍ନ ଅଶ୍ଲିଳ ଇଙ୍ଗିତ ଦେଇଥିଲେ। ଛାତ୍ରୀଙ୍କୁ ତାଙ୍କ ଭାଇ ଆସି କଲେଜରୁ ନେଉଥିବା ବେଳେ ଅଭିଯୁକ୍ତମାନେ ତାଙ୍କ ଭାଇଙ୍କୁ ମଧ୍ୟ ଧମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି। ପୋଲିସ ନଂ. ୬/୨୩ରେ ଏକ ମାମଲା ରୁଜୁ କରିଛି।