Categories: ଖେଳ

୭୮ ବର୍ଷରେ ପ୍ରଥମ ଥର ପାଇଁ ୨ ବ୍ୟାଟ୍ସମ୍ୟାନ ରଚିଲେ ଇତିହାସ: ବିଶ୍ୱ କ୍ରିକେଟ ଚକିତ

ନୂଆଦିଲ୍ଲୀ, ୨୭।୨: ରଣଜୀ ଟ୍ରଫିରେ ନମ୍ବର ୧୦ ଏବଂ ନମ୍ବର ୧୧ରେ ବ୍ୟାଟିଂ କରିବାକୁ ଆସିଥିବା ମୁମ୍ବାଇର ବ୍ୟାଟ୍ସମ୍ୟାନମାନେ ଐତିହାସିକ ପ୍ରଦର୍ଶନ କରିଛନ୍ତି। ତନୁଷ କୋଟିୟାନ ଏବଂ ତୁଷାର ଦେଶପାଣ୍ଡେ ୧୦ ନମ୍ବର ଏବଂ୧୧ ନମ୍ବରରେ ବ୍ୟାଟିଂ କରିବାକୁ ଆସିବା ପରେ ଶତକ ହାସଲ କରିଛନ୍ତି। ରଣଜୀ ଇତିହାସରେ ଏହା ଐତିହାସିକ। ଶେଷ ଉଇକେଟ ପାଇଁ ଉଭୟଙ୍କ ମଧ୍ୟରେ ୨୩୨ ରନ ଭାଗିଦାରୀ ହୋଇଥିଲା। ଏହି ସମୟ ମଧ୍ୟରେ ତୁଷାର ଦେଶପାଣ୍ଡେ ୧୦ ଚୌକା ଓ ୮ ଛକା ସହାୟତାରେ ୧୨୯ ବଲରେ ୧୨୩ ରନ ସଂଗ୍ରହ କରିଥିବାବେଳେ ତନୁଶ କୋଟିୟାନ ୧୨୯ ବଲରେ ଅପରାଜିତ ୧୨୦ ରନ ସଂଗ୍ରହ କରିଥିଲେ। ସେଥିରେ ୧୦ ଚ ଚୌକା ଓ ଚାରି ଛକା ମାରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ ଇତିହାସରେ ଉଭୟ ନମ୍ବର ୧୦ ଏବଂ ୧୧ ବ୍ୟାଟ୍ସମ୍ୟାନ ଶତକ ହାସଲ କରିବା ଅତ୍ୟନ୍ତ ବିରଳ।
ପ୍ରଥମ ଶ୍ରେଣୀ କ୍ରିକେଟ ଇତିହାସରେ ଏହା ଦ୍ୱିତୀୟ ଥର ଯେତେବେଳେ ନମ୍ବର-୧୦ ଏବଂ ନମ୍ବର-୧୧ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଛନ୍ତି। ଏହାପୂର୍ବର ୧୯୪୬ରେ ଇଣ୍ଡିଆନ୍ସ ଏବଂ ସରେଙ୍କ ମଧ୍ୟରେ ହୋଇଥିବା ମ୍ୟାଚରେ ଏହା ଘଟିଥିଲା। ସେତେବେଳେ ଚନ୍ଦୁ ସରବଟେ ଏବଂ ଶୁଟ ବାନାର୍ଜୀ ଯଥାକ୍ରମେ ୧୨୪ ଏବଂ ୧୨୧ ରନ ଇନିଂସ ଖେଳି ଇତିହାସ ସୃଷ୍ଟି କରିଥିଲେ।
ତନୁଶ କୋଟିୟାନ ଇଣ୍ଡିଆ ଅଣ୍ଡର-୧୯ ଦଳ ପାଇଁ ଖେଳିଛନ୍ତି ଏବଂ ଘରୋଇ ସର୍କିଟରେ ମୁମ୍ବାଇ ପାଇଁ ଖେଳିଛନ୍ତି। ଏହି ବ୍ୟାଟ୍ସମ୍ୟାନ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୦ ଅର୍ଦ୍ଧଶତକ ହାସଲ କରିଛନ୍ତି, କିନ୍ତୁ ଏହା ହେଉଛି ତାଙ୍କର ପ୍ରଥମ ଶତକ। ଏହି ବୋଲର ୨୩ଟି ପ୍ରଥମ ଶ୍ରେଣୀ ମ୍ୟାଚ ରେ ହାରାହାରି ୩୮.୧୨ରେ ୯୧୫ ରନ ସଂଗ୍ରହ କରିଛନ୍ତି। ଅନ୍ୟପକ୍ଷରେ ତୁଷାର ଦେଶପାଣ୍ଡେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳନ୍ତି ଏବଂ ଆଇପିଏଲ ୨୦୨୨ ପାଇଁ ଖେଳାଳିଙ୍କ ମେଗା ନିଲାମରେ ଚେନ୍ନାଇ ୨୦ଲକ୍ଷ ଟଙ୍କାରେ କିଣିଥିଲା।
ତନୁଷ କୋଟିୟାନ ଏବଂ ତୁଷାର ଦେଶପାଣ୍ଡେଙ୍କ ଯୋଡି ବର୍ତ୍ତମାନ ରଣଜୀରେ ଦଶମ ଉଇକେଟ ପାଇଁ ଦ୍ୱିତୀୟ ସର୍ବାଧିକ ଭାଗିଦାରୀ କରିବାର ରେକର୍ଡ ରହିଛି। ମୁମ୍ବାଇର ବି.କେ. ଗ୍ରାଉଣ୍ଡରେ ବରୋଦା ବିପକ୍ଷ କ୍ୱାର୍ଟର ଫାଇନାଲ ମ୍ୟାଚ ସମୟରେ ସେମାନେ ଦଶମ ଉଇକେଟ ପାଇଁ ୨୩୨ ରନ ଭାଗିଦାରୀ କରିଥିଲେ ଏବଂ ଦଶମ ଉଇକେଟ ପାଇଁ ସବୁଠୁ ବଡ ଭାଗିଦାରୀ ହେବାର ରେକର୍ଡକୁ ମାତ୍ର ଦୁଇଟି ରନ ପଛରେ ରହିଯାଇଥିଲେ। ରଣଜୀରେ ସବୁଠାରୁ ବଡ ଭାଗିଦାରୀ କରିବାର ରେକର୍ଡ ଅଜୟ ଶର୍ମା ଏବଂ ମଣିନ୍ଦର ସିଂଙ୍କ ନାମରେ ଅଛି, ଯିଏ ୧୯୯୧-୯୨ ସିଜନରେ ମୁମ୍ବାଇ ବିପକ୍ଷରେ ଦିଲ୍ଲୀ ପକ୍ଷରୁ ଦଶମ ଉଇକେଟ ପାଇଁ ୨୩୩ ରନ ରେକର୍ଡ ଭାଗିଦାରୀ କରିଥିଲେ।

Share