ପାଇଖାନା ନିର୍ମାଣ ଦୁର୍ନୀତିରେ ୨ ବିଡିଓ, ଯନ୍ତ୍ରୀ ନିଲମ୍ବିତ

ମାଲକାନଗିରି/ଚିତ୍ରକୋଣ୍ଡା/ଝରିଗାଁ,୧୬ା୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗର ତଦନ୍ତ ପରେ ଶନିବାର ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲଙ୍କୁ ନିଲମ୍ବିତ କରାଯାଇଛି। ଚିତ୍ରକୋଣ୍ଡା ବ୍ଲକରେ ୭୦୦ ପାଇଖାନା ନିର୍ମାଣ କରାଯାଇନାହିଁ। ଏ ବାବଦ ଅର୍ଥ ଆତ୍ମସାତ୍‌ କରାଯାଇଥିବା ଅଭିଯୋଗ ହୋଇଥିଲା  । ପୂର୍ବରୁ ଏହି ଦୁର୍ନୀତିରେ ଜଣେ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ ହୋଇଥିଲେ। ବିଡିଓ ଖରସେଲ ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ଡିଆର୍‌ଡିଏ କାର୍ଯ୍ୟାଳୟରେ ରହିବେ। ବିନା ଅନୁମତିରେ ଜିଲା ବାହାରକୁ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।
ହିତାଧିକାରୀଙ୍କ ଶୌଚାଳୟ ନିର୍ମାଣ ଟଙ୍କା ହରିଲୁଟ୍‌ ଓ ପିସି କାରବାର ଅଭିଯୋଗରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲା ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୁର ସିଂ ଧରୁଆଙ୍କୁ ନିଲମ୍ବିତ କରାଯାଇଛି। ପୁନଃ ଚାକିରିରେ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ବିଡିଓ ନବରଙ୍ଗପୁର ପିଡି ଡିଆରଡିଏଙ୍କ ଅଧୀନରେ ରହିବା ସହ ତାଙ୍କ ବିନା ଅନୁମତିରେ ଜିଲା ସଦରମହକୁମାରୁ ନ ଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ନିଲମ୍ବନ ପତ୍ରରେ ଉଲ୍ଲେଖ ରହିଛି। ବିଡିଓଙ୍କ ସହ ଝରିଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ ସୁନିଲ କୁମାର ସାମଲଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିବା ଜିଲାପାଳ ଅଜିତ୍‌ କୁମାର ମିଶ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଝରିଗାଁ ବ୍ଲକରେ ସ୍ବଚ୍ଛ ଭାରତ ମିଶନ(ଗ୍ରାମୀଣ) କାର୍ଯ୍ୟକ୍ରମରେ ପାଇଖାନା ନିର୍ମାଣ ନେଇ ବ୍ୟାପକ ଦୁର୍ନୀତି ହୋଇଥିବା କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ତଥା ନବରଙ୍ଗପୁର ପୂର୍ବତନ ଏମ୍‌ପି ପ୍ରଦୀପ ମାଝି ଅଭିଯୋଗ କରିଥିଲେ। ଏହାପରେ ବ୍ଲକର ପ୍ରାୟ ୨୫୯ ହିତାଧିକାରୀ ସେମାନଙ୍କର ପାଇଖାନା ଟଙ୍କାକୁ ବିଡିଓ ହଡପ କରିଥିବା ନେଇ ତାଙ୍କ ନାଁରେ ଝରିଗାଁ ଥାନାରେ ଏତଲା ଦେଇଥିଲେ। ଏହି ଘଟଣାର ଭିଜିଲାନ୍ସ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।

Share