ଅମରପାଲି,୨୯ା୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପକଣ୍ଠ ଉଫୁଲା ନିକଟ ରାସ୍ତାପାର୍ଶ୍ୱରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ଏକ ବାଇକ ପିଟି ହୋଇ ୨ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ସୁବଳୟା ଥାନା କମିରା ଗ୍ରାମର ସମ୍ବିତ ପଧାନ(୨୧) ଓ ଖଣ୍ଡହତା ପଞ୍ଚାୟତ ବୁଢୀପଦର ଗ୍ରାମର ସିପକ ନାଗ(୧୮)। ଉଭୟେ ବୀରମହାରାଜପୁରର ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ। କାମ ସାରି ଉଭୟେ ବାଇକ ନଂ(ଓଡ଼ି୦୨ବି ଏକ୍ସ ୧୧୬୫)ଯୋଗେ ଉଫୁଲା ରାସ୍ତାରେ ଯାଉଥିବାବେଳେ ମାଉସୀ ମନ୍ଦିର ନିକଟରେ ଥିବା ବିଦ୍ୟୁତ୍ ପୋଲରେ ପିଟି ହୋଇ ଯାଇଥିଲେ।
ସେମାନଙ୍କ ଚିତ୍କାର ଶୁଣି ସେହି ରାସ୍ତା ଦେଇ ଯାଉଥିବା କେତେକ ବ୍ୟକ୍ତି ବୀରମହାରାଜପୁର ପୋଲିସକୁ ଖବର ଦେଇଥିଲେ। ଉଭୟ ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା। ମାତ୍ର ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବୀରମହାରାଜପୁର ଥାନାରେ ଏକ ମାମଲା(୩୬/୨୪) ରୁଜୁ ହୋଇଛି। ସୋମବାର ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସମ୍ବିତ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ଥିବା ବେଳେ ଗତ ବର୍ଷ ତାଙ୍କ ବାପାଙ୍କର ମୃତ୍ୟୁ ଘଟିଥିଲା।