୨ ବାଇକ୍‌ ମୁହାଁମୁହିଁ ଧକ୍କା: ଶିଶୁକନ୍ୟା ମୃତ, ୪ ଗୁରୁତର

ଦିଗପହଣ୍ଡି,୩।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ରାଜ୍ୟ ରାଜପଥ – ୧୭ ମୁଖ୍ୟ ରାସ୍ତାର ଗଣିଆନାଳ ଛକ ନିକଟ ମାଁ ଖେମଣ୍ଡିକାଳୁଆ ଛକରେ ମଙ୍ଗଳବାର ସନ୍ଧ୍ୟାରେ ୨ଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଜଣେ ଦେଢ଼ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ମୃତ ଶିଶୁକନ୍ୟା ଜଣକ ହେଲେ ଦିଗପହଣ୍ଡି ଥାନା ବି. ତୁରୁବୁଡି ପଞ୍ଚାୟତ ମରେଇବାଡି ଗ୍ରାମର ଚାନ୍ଦିନୀ ମଲ୍ଲିକ । ଗୁରୁତର ମାନଙ୍କ ମଧ୍ୟରେ ମୃତ ଶିଶୁର ମାଆ ସାରସୁ ମଲ୍ଲିକ (୩୫) , ବାପା ଜୁରିଆ ମଲ୍ଲିକ (୪୦), ଭାଇ ଚନ୍ଦନ ମଲ୍ଲିକ (୧୧) ରହିଥିବା ବେଳେ କୁକୁଡ଼ା ଖଣ୍ଡି ବ୍ଲକ ଲକ୍ଷ୍ମୀ ନାରାୟଣପୁର ଗ୍ରାମର ବାଇକ ଚାଳକ ଅଜୟ ଦଳବେହେରା ରହିଥିବା ସୂଚନା ମିଳିଛି।
ପ୍ରକାଶ ଯେ, ମଙ୍ଗଳବାର ଜୁରିଆ ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କ ସହ ବାଇକ୍‌ ଯୋଗେ ନିଜ ଗ୍ରାମ ମରେଇବାଡି ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଅଜୟ ଓ ତାଙ୍କ ସହଯୋଗୀ ଅନ୍ୟ ଏକ ବାଇକରେ ଆସୁଥିବା ବେଳେ ପରସ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଖବରପାଇ ଦିଗପହଣ୍ଡି ପୋଲିସ ଓ ୧୦୮ ଆମ୍ବୁଲାନ୍ସ ପହଞ୍ଚି ସମସ୍ତ ଗୁରୁତର ଆହାତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ଶିଶୁକନ୍ୟାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଦିଗପହଣ୍ଡି ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶିଶୁକନ୍ୟା ଙ୍କ ମୃତଦେହ ଉଦ୍ଧାରକରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଏନେଇ ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ଜଣାପଡ଼ିଛି । ତେବେ ଘଟଣାସ୍ଥଳରୁ ଅଜୟଙ୍କ ସହଯୋଗୀ ଫେରାର ଥିବା ପୋଲିସ କହିଛି ।