୨ବାଇକ ମୁହାଁ ମୁହିଁ ଧକ୍କା, ଚାଲିଗଲା ଜୀବନ

ରେଢାଖୋଲ ,୮।୯(ଅଚ୍ୟୁତାନନ୍ଦ ପୁରୋହିତ): ଚାରମାଳ ଥାନା ଅଧିନ ୫୫ନଂ ଜାତୀୟ ରାଜପଥର ଆମ୍ବଦର ଓଭରବ୍ରିଜ ଉପରେ ରବିବାର ଦିନ ୧୨ଟା ବେଳେ ୨ଟି ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ ଆରୋହିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ ବାଇକରେ ଥିବା ୨ଜଣ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅଧିନ ଜରିପାଳ ଗ୍ରାମର ବେଣୁଧର ସାହୁ ବୋଲି ଜଣାପଡିଛି। ସେହିପରି ଗୁରୁତର ଆହତ ହୋଇଥିବା ୨ଜଣ ହେଲେ ଚାରମାଳ ଥାନା ଗରଗଡବାହାଳ ପଞ୍ଚାୟତର କଣ୍ଢଳ ଗ୍ରାମର ଯେନ୍ଦା ଡୁଙ୍ଗଡୁଙ୍ଗ ଓ ରୋହିତ କେର଼କେଟା ବୋଲି ଜଣାପଡିଛି। ଉଭୟେ ଗୁରୁତର ଥିବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ବେଣୁଧରସାହୁ ଅନ୍ୟଜଣେ ଯୁବକଙ୍କ ସହ ବାଇକ ନଂ ଓଡି ୧୯ଏନ-୭୩୧୩ ଯୋଗେ ଯୁଯୋମୁରା ଅଞ୍ଚଳକୁ ଏକ ଛେଳିବୋଦା ଧରି ଯାଉଥିବା ବେଳେ ସମ୍ମୁଖରୁ ଓଡି ୧୫ବି-୯୧୩୧ ଯୋଗେ ରୋହିତ ଓ ଯେନ୍ଦା ଆସୁଥିବାବେଳେ କୌଣସି କାରଣ ବସତଃ ଉଭୟ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ବେଣୁଧରଙ୍କ ମୃତ୍ୟୁ ହୋଇଥିବାବେଳେ ରୋହିତ ଓ ଯେନ୍ଦା ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ୨ଜଣଙ୍କୁ ଉଦ୍ଧାର କରି ପ୍ରଥମେ ଚାରମାଳ ଡାକ୍ତର ଖାନାକୁ ଆଣାଯାଇଥିବା ବେଳେ ଅବସ୍ଥା ଗୁରୁତର ଯୋଗୁଁ ବୁର୍ଲା ଡାକ୍ତର ଖାନାକୁ ନିଆଯାଇଛି। ବେଣୁଧରଙ୍କ ମୃତଦେହକୁ ରେଢାଖୋଲ ଡାକ୍ତର ଖାନାଖୁ ବ୍ୟବଛେଦ ପାଇଁ ଅଣାଯାଇଥିବା ଜଣାପଡିଛି। ଦୁର୍ଘଟଣା ଖବର ପାଇ ବେଣୁଧରଙ୍କ ପରିବାର ଲୋକେ ପହଞ୍ଚିଥିବା ଜଣାପଡିଛି। ଚାରମାଳ ପୋଲିସ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।