ଦିନକରେ ୨ ମୃତଦେହ ଜବତ

କଟକ ସଦର,୧।୯(ସୁଶାନ୍ତ ଜେନା) କିଶନ ନଗର ଥାନା ଅଞ୍ଚଳରେ ଶୁକ୍ରବାର ପୋଲିସ ୨ଟି ମୃତଦେହକୁ ଜବତ କରିଛି। ଏ ନେଇ ପୋଲିସ ୨ଟି ପୃଥକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ଏହି ଥାନା ଅନ୍ତର୍ଗତ ସିଙ୍ଘାଳ ଗ୍ରାମର ବିକ୍ରମ ବେହେରା(୨୨) ନାମକ ଯୁବକ ଗୁରୁବାର ରାତିରେ ଖାଇସାରି ଶୋଇବାକୁ ଯାଇଥିଲେ। ଶୁକ୍ରବାର ଦୀର୍ଘ ସମୟ ପର୍ଯ୍ୟନ୍ତ କବାଟ ନ ଖୋଲିବାରୁ ପରିବାର ଲୋକେ ସନ୍ଦେହରେ ଝରକାରେ ଦେଖିବାବେଳେ ଘରେ ଥିବା ପଙ୍ଖାରେ ଶାଢ଼ି ବେକରେ ବାନ୍ଧି ବିକ୍ରମ ଝୁଲୁଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିକ୍ରମଙ୍କୁ ଓହ୍ଲାଇ ଡାକ୍ତରଖାନା ନେଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ଏ ସମ୍ପର୍କରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା(ନଂ.୧୪/୨୩) ରୁଜୁ କରିଛି। ସେହିପରି ଶୁକ୍ରବାର ସକାଳେ ଏହି ଥାନା ଅନ୍ତର୍ଗତ ଯଶପଡ଼ା ଗ୍ରାମ ନିକଟ ପୋଖରୀରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଖବରପାଇ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଥିବାବେଳେ ମୃତକ ସ୍ଥାନୀୟ ଗ୍ରାମର ଅବନୀ ନାୟକ(୭୫) ବୋଲି ଜଣାପଡ଼ିଛି। ଏନେଇ ଥାନାରେ ନଂ.୧୫/୨୩ ରେ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୋଲିସ କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲା।