ଓଡ଼ିଶା ପୋଲିସକୁ ୨ ବ୍ରୋଞ୍ଜ ପଦକ

କଟକ ଅଫିସ,୭ା୧୨: ୭୧ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନଶିପ୍‌ରେ ଓଡ଼ିଶା ପୋଲିସର ମହିଳା ଓ ପୁରୁଷ ଟିମ୍‌ ଦଳଗତ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଓଡ଼ିଶା ପୋଲିସର ପୁରୁଷ ଟିମ୍‌ ସିଆଇଏସଏଫ୍‌କୁ ୬-୪ ଗୋଲରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିବା ସହ ବ୍ରୋଞ୍ଜ ପଦକ ହାସଲ କରିଥିଲା। ସେହିପରି ମହିଳା ବର୍ଗରେ ଓଡ଼ିଶା ପୋଲିସ ତାମିଲନାଡୁକୁ ୪-୨ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି। ସୂଚନାଯୋଗ୍ୟ, ଗତ ନଭେମ୍ବର ୧୬ରୁ ୩୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ପୋଲିସ ଆନୁକୂଲ୍ୟରେ କୋଲକାତାସ୍ଥିତ ସାଇ କମ୍ପ୍ଲେକ୍ସଠାରେ ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନଶିପ ଅନୁଷ୍ଠିତ ହୋଇଥିଲା। ଉଭୟ ଦଳ ଓଡ଼ିଶା ଫେରିବା ପରେ ପୁରୁଷ ଟିମ୍‌ର ଅଧିନାୟକ ଅଲମ୍ପିୟାନ ବୀରେନ୍ଦ୍ର ଲାକ୍ରା ଓ ଟିମ୍‌ ମ୍ୟାନେଜର ସଞ୍ଜୀବ କୁମାର ଲାକ୍ରା ରାଜ୍ୟ ପୋଲିସ ମୁଖ୍ୟାଳୟରେ ଡିଜିପି ସୁନୀଲ ବଂଶଲଙ୍କୁ ମଙ୍ଗଳବାର ସୌଜନ୍ୟମୂଳକ ସାକ୍ଷାତ୍‌ କରିଛନ୍ତି। ଡିଜିପି ବଂଶଲ କ୍ରୀଡାବିତ୍‌ମାନଙ୍କ ସଫଳତାରେ ଖୁସି ହେବା ସହ ଭବିଷ୍ୟତରେ ଆହୁରି କଠିନ ପରିଶ୍ରମ କରି ରାଜ୍ୟ ପୋଲିସ ପାଇଁ ଅଧିକ ସଫଳତା ଆଣିବାକୁ ପରାମର୍ଶ ଦେଇଥିଲେ। ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ଆଇନ ଶୃଙ୍ଖଳା) ଆର୍‌. କେ. ଶର୍ମା ଏହି ସାକ୍ଷାତ୍‌ ସମୟରେ ଉପସ୍ଥିତ ଥିଲେ।

Share