ଦିଗପହଣ୍ଡି, ୧୪।୯ (ଅଶେଷ ନାଥ ମିଶ୍ର)ପଥର ଖାଦାନରେ କାମ କରୁଥିବା ବେଳେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପିଲିକାଢ଼ିହ ଗ୍ରାମର ଦୁଇ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି। ବୁଧବାର ସନ୍ଧ୍ୟାରେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ମହୁରୀକାଳୁଆ ଛକ ନିକଟରେ ଥିବା ପଥର ଖାଦାନରେ ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ଗୋବିନ୍ଦ ମଳିକ ଓ ଜଗା ମଳିକ। ପ୍ରକାଶ ଯେ, ଏକ ଗ୍ରାନାଇଟ୍ କମ୍ପାନୀ ପାଇଁ ଉକ୍ତ ଖାଦାନରେ ପଥର କଟିଂ କାମ ଚାଲିଥିଲା। ଗୋବିନ୍ଦ ଓ ଜଗା ସେଠାରେ କାମ କରୁଥିବାବେଳେ ଏକ ବଡ଼ ପଥର ଖଣ୍ଡ ସେମାନଙ୍କ ଉପରେ ପଡ଼ିଯାଇଥିଲା। ଫଳରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ପଲିକାଢ଼ିହ ଗ୍ରାମର ବିସୁନୁ ମଳିକଙ୍କୁ କମ୍ପାନୀ ପକ୍ଷରୁ ଖବର ଦିଆଯାଇଥିଲା। ଶବର ସମାଜ ସଭାପତି ରବୀନ୍ଦ୍ର ମଳିକଙ୍କ ସମେତ ୧୫ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ପହଞ୍ଚି ବ୍ରହ୍ମପୁର ସଦର ଥାନାକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।