ବେଗୁନିଆପଡ଼ା,୭।୬: ଅମ୍ଳାନ ଗୌରବ କୁମାର ଓ ଆୟୁଷ ଅଂଶୁମାନ ଦୁଇ ଭାଇ। ଅମ୍ଳାନ +୩ ବିଜ୍ଞାନ ପଢା ସରିଥିବା ବେଳେ ଆୟୁଷ ଦ୍ୱାଦଶ ବିଜ୍ଞାନ ପଢ଼ା ସରିଛି। ଉଭୟଙ୍କ ପଢା ସହିତ ଲୁକ୍କାୟିତ ଭାବରେ ଚିତ୍ର ପ୍ରତି ଥିଲା ଅହେତୁକ ଦୁର୍ବଳତା। ଅମ୍ଳାନ ପେନସିଲ୍ ଆର୍ଟରେ ସିଦ୍ଧହସ୍ତ ଥିବା ବେଳେ ଭାଇ ଆୟୁଷ ଡ଼ଟ୍ ପେନରେ ସ୍କ୍ରିବଲିଙ୍ଗ ଆର୍ଟରେ ମାହିର। ଅମ୍ଳାନ ଗ୍ରାଫ କରି ଅବିକଳ ଫଟୋ ବନାଉଥିବା ବେଳେ ଆୟୁଷ ବିନା ଗ୍ରାଫରେ ଅବିକଳ ଫଟୋ ବନାଇଛନ୍ତି। ଅମ୍ଳାନ ଓ ଆୟୁଷଙ୍କ ଘର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଶାଙ୍କୁଡା ପଞ୍ଚାୟତର ଲଛିପୂର ଗ୍ରାମରେ ଅମ୍ଳାନଙ୍କ ବାବା ବିନୋଦ କୁମାର ମହାରଣା ଓ ଆୟୁଷଙ୍କ ବାବା ଦେବେନ୍ଦ୍ର କୁମାର ମହାରଣା। ବିନୋଦ ଓ ଦେବେନ୍ଦ୍ର ଦୁଇ ଭାଇ ହୋଇଥିବା ବେଳେ ଉଭୟଙ୍କ ଲୁକ୍କାୟିତ ପ୍ରତିଭା ହଠାତ୍ ନଜରକୁ ଆସିଥିଲା। ଉଭୟଙ୍କ ସାଙ୍ଗସାଥୀ ସେମାନଙ୍କୁ ଉତ୍ସାହିତ କରିବା ପରେ ସେମାନେ ଏହି ପ୍ରତିଭାକୁ ବିକଶିତ କରିବାକୁ ବେଶ ଆଗ୍ରହୀ। ବିନା ତାଲିମରେ ଉଭୟେ ଏହି କଳାକୁ ନିଜର କରିବା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି।