Categories: ଜାତୀୟ

ଏନକାଉଣ୍ଟରରେ ଗଲା ୨ ବ୍ୟବସାୟୀଙ୍କ ଜୀବନ

ଶ୍ରୀନଗର,୧୬।୧୧: ଜମ୍ମୁ-କଶ୍ମୀରର ଶ୍ରୀନଗରଠାରେ ଆତଙ୍କବାଦୀ ବିରୋଧୀ ଅପରେଶନ ବେଳେ ୪ ଜଣ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ବ୍ୟବସାୟୀ ଥିବା ଜଣାପଡ଼ିଛି। ପୋଲିସ କହିବା ଅନୁଯାୟୀ, ଅପରେଶନରେ ଦୁଇ ଜଣ ଆତଙ୍କବାଦୀ ଓ ସେମାନଙ୍କୁ ସମର୍ଥନ କରୁଥିବା ଦୁଇ ବ୍ୟବସାୟୀ ଅଛନ୍ତି।

ସୋମବାର ସନ୍ଧ୍ୟାରେ ଶ୍ରୀନଗରସ୍ଥିତ ହାଇଡରପୋରାରେ କମର୍ସିଆଲ କମ୍ପ୍ଲେକ୍ସରେ ଆତଙ୍କବାଦୀଙ୍କ ସହ ମୁହଁମୁହିଁ ହୋଇଥିଲା ସୁରକ୍ଷା ବଳ। ଘଟଣାସ୍ଥଳରେ ମୃତ ବ୍ୟବସାୟୀ ଡ. ମୁଦାସିର ଗୁଲ ଓ ଅଲତାଫ ଭଟଙ୍କ ଦୋକାନ ଥିଲା ପୋଲିସ ପକ୍ଷରୁ କୁହାଯାଇଛି। ପେଶାରେ ଜଣେ ଦାନ୍ତ ବିଶେଷଜ୍ଞ ମୁଦସିର ଗୁଲ କମ୍ପ୍ଲେକ୍ସରେ ଏକ କମ୍ପ୍ୟୁଟର ସେଣ୍ଟର ଚଲାଉଥିଲେ। ସେହି କମର୍ସିଆଲ କମ୍ପ୍ଲେକ୍ସର ମାଲିକ ହେଉଛନ୍ତି ଅଲତାଫ ଭଟ। କମ୍ପ୍ଲେକ୍ସରେ ତାଙ୍କର ଏକ ହାଡଓ୍ବେର ଓ ସିମେଣ୍ଟ ଦୋକାନ ଥିଲା।

ମୃତ ବ୍ୟବସାୟୀଙ୍କ ପରିବାରବର୍ଗ ସେମାନଙ୍କ ମୃତ୍ୟୁ ପାଇଁ ସୁରକ୍ଷା ବଳକୁ ଦାୟୀ କରୁଥିବା ବେଳେ ଦୁହିଁଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି ନ ହେଲେ କ୍ରସ୍‌ ଫାୟାରିଂ ସମୟରେ ସେମାନଙ୍କ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ତେବେ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ପୂର୍ବତନ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି।

ସେମାନଙ୍କ ଅନ୍ତିମ ସଂସ୍କାର ପାଇଁ ପରିବାରବର୍ଗ ମୃତଦେହ ଦାବି କରୁଛନ୍ତି। କିନ୍ତୁ ପୋଲିସ ପକ୍ଷରୁ କୁହାଯାଇଛି, ଆଇନ ଓ ଶୃଙ୍ଖଳା ପରିସ୍ଥିତି କାରଣରୁ ମୃତଦେହ ପରିବାରକୁ ଦିଆଯାଇ ପାରିବ ନାହିଁ। ସମସ୍ତ ମୃତଦେହକୁ ଶ୍ରୀନଗରଠାରୁ ୧୦୦ କିମି ଦୂର ଉତ୍ତର କଶ୍ମୀରର ହାଣ୍ଡଓ୍ବାରା ଅଞ୍ଚଳରେ ପୋତି ଦିଆଯାଇଛି।

Share