ଯୁକ୍ତ୨ ଲାଗି ହୋଇପାରେ ପ୍ରବେଶିକା

ଭୁବନେଶ୍ୱର,୯।୫(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ ମୂଲ୍ୟାୟନ ପଦ୍ଧତି ଚୂଡ଼ାନ୍ତ ହେବା ପରେ ଏବେ ଯୁକ୍ତ୨ ନାମଲେଖାକୁ ନେଇ ପ୍ରଶ୍ନ ଉଠିଲାଣି। କେମିତି ଓ କେଉଁ ଆଧାରରେ ନାମଲେଖା ହେବ ତାକୁ ନେଇ ଏବେ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଅଭିଭାବକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଲାଣି। ଅନ୍ୟପକ୍ଷରେ ଯୁକ୍ତ୨ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ହେବ ବୋଲି ଚର୍ଚ୍ଚା ହେଉଛି। ମେଧାବୀ ଛାତ୍ରୀଛାତ୍ର ଯେଭଳି ଭଲ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବାର ସୁଯୋଗ ପାଇବେ ସେଥିପାଇଁ ପ୍ରବେଶିକା ପରୀକ୍ଷା ହେବ ବୋଲି କୁହାଯାଉଛି। ତେବେ ଏହି ଚର୍ଚ୍ଚାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଖଣ୍ଡନ କରିଛନ୍ତି। ମନ୍ତ୍ରୀ ଦାଶ କହିଛନ୍ତି, ଏ ସଂକ୍ରାନ୍ତରେ ବର୍ତ୍ତମାନ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ରେଜଲ୍ଟ ଆସିବା ପରେ କ’ଣ କରାଯିବ ତାହା ସେତେବେଳେ ନିଷ୍ପତ୍ତି ନିଆଯିବ। ଏଥିସହ ଯେଉଁମାନେ ମାଟ୍ରିକ ରେଜଲ୍ଟରେ ସନ୍ତୁଷ୍ଟ ହେବେ ନାହିଁ, ସେମାନେ ପୁଣି ପରୀକ୍ଷା ଦେଇପାରିବେ। ମନ୍ତ୍ରୀ ଆହୁରି କହିଛନ୍ତି ଯେ ମୂଲ୍ୟାଙ୍କନ ପାଇଁ ଅନ୍ୟ କିଛି ବିକଳ୍ପ ନ ଥିବାରୁ ବୋର୍ଡ ଏହି ପଦ୍ଧତି ଗ୍ରହଣ କରିଛି। ଆସନ୍ତା ଜୁନ୍‌ ୩୦ତାରିଖ ସୁଦ୍ଧା ମାଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଦାଶ ସୂଚନା ଦେଇଛନ୍ତି।

Share