୨ ପ୍ରାର୍ଥୀ କୋଟିପତି

ଭଦ୍ରକ,୧୭।୫(ସନାତନ ରାଉତ): ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ହୋଇଥିବା ୩ ପ୍ରମୁଖ ଦଳ ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଅସିତ୍‌ ପଟ୍ଟନାୟକ ସବୁଠୁ ଧନୀ। ପ୍ରାର୍ଥତ୍ପତ୍ର ଦାଖଲ ବେଳେ ଦେଇଥିବା ସତ୍ୟପାଠରେ ତାଙ୍କର ପାଖାପାଖି ୧୨ କୋଟି ଟଙ୍କା ସମ୍ପତ୍ତି ଥିବା ଦର୍ଶାଇଛନ୍ତି। ୮ କୋଟି ୨୦ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ଓ ୩ କୋଟି ୬୯ ଲକ୍ଷ ୬୦ ହଜାର ୩୨୧ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ଦ୍ୱିତୀୟ କୋଟିପତି ପ୍ରାର୍ଥୀ ହେଉଛନ୍ତି ପ୍ରଥମ କରି ନିର୍ବାଚନ ଲଢ଼ୁଥିବା ଭାଜପା ପ୍ରାର୍ଥୀ ସିତାଂଶୁ ଶେଖର ମହାପାତ୍ର। ତାଙ୍କର ସମ୍ପତ୍ତି ପାଖାପାଖି ୬ କୋଟି ଟଙ୍କା। ୪ କୋଟି ୮୮ ଲକ୍ଷ ୧୫ ହଜାର ୪୨ ଟଙ୍କା ସ୍ଥାବର ସମ୍ପତ୍ତି ଓ ୧ କୋଟି ୫ ଲକ୍ଷ ୪୦ ହଜାର ୫ ଶହ ଟଙ୍କା ଅସ୍ଥାବର ସମ୍ପତ୍ତି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି। ସବୁଠାରୁ ରୋଚକପୂର୍ଣ୍ଣ କଥା ହେଉଛି ବିଜେଡି ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ, ବିଧାୟକ ପ୍ରଫୁଲ୍ଲ ସାମଲ ତାଙ୍କର ସମ୍ପତ୍ତି ମାତ୍ର ୧୦ ଲକ୍ଷ ୪୦ ହଜାର ଟଙ୍କା ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି। ୬ ଥରର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଯିଏକି ପୂର୍ବରୁ ଏକାଧିକବାର ମନ୍ତ୍ରୀ ହୋଇଛନ୍ତି, ତାଙ୍କର ସମ୍ପତ୍ତି ମୂଲ୍ୟ ଏତେ କମ୍‌ ହୋଇଥିବା ନେଇ ସହରରେ ଚର୍ଚ୍ଚା ଚାଲିଛି। ତାଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୮ ଲକ୍ଷ ୬ ହଜାର ୪୦୬ ଟଙ୍କା ହୋଇଥିବା ବେଳେ ୨ ଲକ୍ଷ ୩୪ ହଜାର ୯୩ ଟଙ୍କା ଅସ୍ଥାବର ସମ୍ପତ୍ତି ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି। ଏହି ସତ୍ୟପାଠ ମୁତାବକ କଂଗ୍ରେସ, ଭାଜପା ଅପେକ୍ଷା ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସମସ୍ତଙ୍କଠାରୁ ଗରିବ ପ୍ରାର୍ଥୀ ବୋଲି ଚର୍ଚ୍ଚା ହେଉଛି।

Share